
ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ତଫାଡ଼ି ପୁଅକୁ ଜନ୍ମ ଦେଇଥିଲା । ପାଳିପୋଷି ମଣିଷ କରିଥିଲା । ଆଶା କରିଥିଲା ବୃଦ୍ଧ ବୟସରେ ସାହାରା ହେବ ପୁଅ କିନ୍ତୁ ବୁଢ଼ୀ ହୋଇଗଲା ବୋଲି ଅଲୋଡ଼ା ହେଲା ଜନ୍ମକଲା ମା’ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେହେରମୁଣ୍ଡା ଗ୍ରାମରେ । ସୁଚନା ମୂତାବକ ଗାଇସିଲେଟ ବିଡିଓ ଲକ୍ଷ୍ମଣ ମାଝି ଉକ୍ତ ଗ୍ରାମକୁ ଅନ୍ତୋର୍ଦୟ ଗୃହ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ହଠାତ ନଜର ପଡ଼ିଥିଲା ବାରଣ୍ଡାରେ ରହୁଥିବା ଜଣେ ବୟସ୍କା ମହିଳାଙ୍କ ଉପରେ । ତୁରନ୍ତ ବିଡିଓ ମହାଶୟ ଘଟଣା ବିଷୟରେ ମହିଳାଙ୍କ ନିକଟରୁ ଶୁଣିବା ପାଇଁ ପାଇଥିଲେ ଯେ, ନିଜ ନାଁରେ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ପୁଅ ପ୍ରଫୁଲ୍ଲ ନାଗ ନିଜ ପରିବାର ସହିତ ରହୁଥିବା ବେଳେ ମା’ କିଶୋରୀ ନାଗ ଓ ବାପା ଜବଦୁ ନାଗଙ୍କୁ ଘରୁ ବିଦା କରିଦେଇ ଥିବାରୁ ପର ପିଣ୍ଡାରେ ଆଶ୍ରୟ ନେଉଛନ୍ତି ଉଭୟ ବୃଦ୍ଧ ସ୍ୱାମୀ ଓ ସ୍ତ୍ରୀ । ଘଟଣା ବିଷୟରେ ଅବଗତ ହେଲା ପରେ ବିଡିଓ ଶ୍ରୀ ମାଝି ତୁରନ୍ତ ପ୍ରଫୁଲ୍ଲ ନାଗଙ୍କୁ ନିଜ ଘରେ ନିଜ ବାପାମାଙ୍କୁ ରଖିବା ପାଇଁ କହିଥିଲେ । ନଚେତ ଆଗାମୀ ଦିନରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ତାଗିଦ କରିବା ସହ ନୋଟିସ କରିଥିଲେ ଏବଂ ଗାଇସିଲେଟ ଥାନାରେ ମଧ୍ୟ ଖବର ଜଣାଇ ଥିଲେ । ସଙ୍ଗେ ସଙ୍ଗେ ସନ୍ଧିବାହାଲ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଚାଉଳ ଓ ଶୁଖିଲା ଖାଦ୍ୟ ଯୋଗାଇଦେବା ପାଇଁ, ତେବେ ବିଡ଼ିଓଙ୍କ ଏଭଳି କାମ ଦେଖି ଗ୍ରାମବାସୀ ଖୁବ୍ ପ୍ରଶଂସା କରିଥିଲେ ।