
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ମୁଖ୍ୟ ସଂଯୋଜକ ପବିତ୍ର କହଁରଙ୍କ ସମେତ ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ, ଦୟାନିଧି ଜାନୀ, ରାମ ମାଝୀଙ୍କ ସମେତ ଅଞ୍ଚଳର ଶତାଧିକ ଆଦିମ ଜନଜାତି ଓ ଜନଜାତି ର ମୁଖିଆ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୧୮,୧୯ ଓ ୨୦ ୩ ଦିନ ଧରି ଏହି ମହୋତ୍ସବ ପାଳନ କରିବା ପାଇଁ ସ୍ଥିର କରଯାଇଛି । ଏହି ମହୋତ୍ସବରେ ରାଜ୍ୟର ୨୦ଟି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତିରୁ ଶହଶହ ବ୍ୟକ୍ତି ଏହି ମହୋତ୍ସବକୁ ଆସି ପୂଜା ଅର୍ଚ୍ଚନାରେ ଭାଗ ନେବେ । ଅନୁସୂଚିତ ଜନଜାତି ଓ ଆଦିମ ଜନଜାତି କୂଟିଆମାନଙ୍କ ଉତ୍ପତ୍ତି ସ୍ଥଳ ଆଦି ଦେବୀ ସେହି ପବିତ୍ର ଡିମ୍ବୁଲି ପାହାଡର ଐତିହ୍ୟ ଓ ପରମ୍ପରାକୁ ଉଦ୍ଜୀବିତ ରଖିବା ସହ ମହାନ ସଂସ୍କୃତିକୁ ଅବକ୍ଷୟରୁ ବଞ୍ଚାଇ ରଖିବା । ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନର ମାନ୍ୟତା ପ୍ରଦାନ କରିବା ଓ ହେରିଟେଜ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ଡିମ୍ବୁଲି ମହୋତ୍ସବର ପ୍ରଥମ ଲକ୍ଷ ରହିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କହିଛନ୍ତି ।