ବିଶ୍ୱ ପଖାଳ ଓ ଚଟିଆ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପଖାଳ ଓ ଚଟିଆ ଦିବସ ପାଳିତ ହୋଇଯାଇଛି । ପ୍ରକୃତି ବନ୍ଧୁ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ ସଭାପତି, ଗୌତମ ପଟେଲ, ବ୍ଲକ ଶିକ୍ଷା ଅଧିକାରୀ ତୁରେକେଲା ମୁଖ୍ୟ ଅତିଥି, ଗଜିନ୍ଦ୍ର ହରିଜନ ତୁରେକେଲା ସିଆର୍‌ସିସି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବର୍ତ୍ତମାନ ମଣିଷ ଆଧୁନିକ ସଭ୍ୟତାରେ ପୁରୁଣା ଖାଦ୍ୟପେୟ, ଚାଲିଚଳଣୀ, ପରମ୍ପରାକୁ ଭୁଲି ଗଲେଣି । ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ ହେଇଥିବା ବେଳେ ବର୍ତ୍ତମାନ ଫାଷ୍ଟଫୁଡ, ଜଙ୍କଫୁଡକୁ ଆପଣାଉ ଥିବାରୁ ଅନେକ ରୋଗର ଶିକାର ହେଉଛନ୍ତି । ଗ୍ରୀଷ୍ମ ଋତୁରେ ପଖାଳ ଦେହ ପ୍ରତି ହିତକର ବୋଲି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ତା’ ସହିତ ବର୍ତ୍ତମାନ ଘର ଚଟିଆ ବିଲୁପ୍ତ ପ୍ରାୟ ତେଣୁ ସମସ୍ତେ ଚଟିଆର ସୁରକ୍ଷାରେ ସହଯୋଗ କରିବା ସହିତ ତାଙ୍କ ପାଇଁ ଗ୍ରୀଷ୍ମ ଋତୁରେ ବସା, ଖାଦ୍ୟ, ପାଣିର ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଭାପରେ ଛାତ୍ରଛାତ୍ରୀ, ଶିକ୍ଷକ, ସଭ୍ୟସଭ୍ୟା ଓ ଅତିଥିମାନେ ମିଶି ପଖାଳ ଭାତ, ଶାଗ, ବଡିଚୁରା, ସନ୍ତୁଳା, ପାମ୍ପଡ଼, ଦହି ସାଲାଡ଼, ମାଛଭଜା ଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ ତାଣ୍ଡି, ଶିଶୁ ପ୍ରଯତ୍ନକାରୀ ଭବାନୀ ମାଝୀ, ଲଳିତା ମାଝୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.