ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଅଡିଟୋରିୟମଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ସିଡିଏମ୍‌ଓ ପୁଷ୍ପାଞ୍ଜଳି ମିଶ୍ର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଦେଶ ଗଠନରେ ମହିଳାମାନଙ୍କ ଅବଦାନକୁ ପ୍ରଶଂସା କରି କହିଥିଲେ ଯେ, “ନାରୀ ଶକ୍ତିର ସଶକ୍ତିକରଣ ହିଁ ଏକ ସମୃଦ୍ଧ ସମାଜର ପ୍ରକୃତ ମୂଳଦୁଆ” । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ‘ସୁଭଦ୍ରା’ର ଚତୁର୍ଥ କିସ୍ତି ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ସୁଭଦ୍ରା ଯୋଜନା ମହିଳାମନଙ୍କୁ ସ୍ଵାବଲମ୍ବୀ ଓ ସଶକ୍ତ କରୁଛି । ଏହି ଯୋଜନା ଦ୍ଵାରା ମହିଳାମାନେ ରାଜ୍ୟର ଅର୍ଥନୀତି ବୃଦ୍ଧିରେ ସହାୟକ ହୋଇପାରୁଛନ୍ତି ବୋଲି ସେ କହିଥିଲେ । ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ମହିଳା, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ଵେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁକୁ ଆଧାର କରି ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ଉପରେ ଅତିଥିମାନେ ଗୁରୁତ୍ଵାରୋପ କରିଥିଲେ । ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ସହ ସମାଜରେ ସେମାନଙ୍କ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋଲାପି ନାୟକଙ୍କୁ ଶ୍ରେଷ୍ଠ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସଇଁତଳା ବ୍ଲକ)ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ଭାବେ ମହିଳା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ କଳାକାର ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର (ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶେଷ କରି ପାରମ୍ପରିକ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିବା ସହ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା । ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶିବାନୀ ଠାକୁର, ପ୍ରକଳ୍ପ ଅଧିକାରୀ ଅନୁପମା ହେସ, ସୁରକ୍ଷା ଅଧିକାରୀ ସୁଜାତା ଦୋରାଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ନାରୀ ଶକ୍ତିର ଜୟଗାନ ଏବଂ ଏକ ନୂତନ ସଂକଳ୍ପର ବାର୍ତ୍ତା ସହ ସଫଳତା ପୂର୍ବକ ସମାପ୍ତ ହୋଇଛି ।

Leave A Reply

Your email address will not be published.