ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଫେବୃଆରୀ ୨୮ ତାରିଖକୁ ସମଗ୍ର ଭାରତ ବର୍ଷରେ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଇଥାଏ । ୧୯୩୦ ମସିହାରେ ଏହି ଦିନ ପ୍ରଖ୍ୟାତ ବୈଜ୍ଞାନିକ ସାର୍ ସି. ଭି. ରମଣ ତାଙ୍କର ରମଣ ପ୍ରଭାବ ପାଇଁ ନୋବେଲ ପୁରସ୍କାର ପାଇଥିଲେ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ୍ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିବେଶବିତ୍ ଶୂଳପାଣି ଶତପଥୀ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟଅତିଥି ଶ୍ରୀ ଶତପଥୀ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ରୂପେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ରାଜ୍ୟସରକାରଙ୍କ ପୁରସ୍କାରପ୍ରାପ୍ତ କାମରାଜୁ ମହାରଣା ମୁଖ୍ୟବକ୍ତା ରୂପେ ଯୋଗଦେଇଥିବା ବେଳେ ସରପଞ୍ଚ ବି. ସୁଦାମ, କେରାଣ୍ଡିତୋଳା ନାରାୟଣପୁର ୟୁ.ପି. ସ୍କୁଲ ପ୍ରଧାନଶିକ୍ଷକ ସୁନୀଲ କୁମାର ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ନୋବଲ ପୁରସ୍କାର ବିଜେତା ସାର୍ ସି. ଭି. ରମଣଙ୍କ କୃତ୍ତିତ୍ଵ ଏବଂ ସମାଜ ପ୍ରତି ତାଙ୍କରି ବିଜ୍ଞାନର ଅବଦାନ ଓ ପ୍ରୟୋଗ ସମ୍ପର୍କରେ ମତପ୍ରକାଶ କରିଥିଲେ । ସର୍ବୋପରି ଅତିଥିମାନେ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱଆରୋପ କରିଥିଲେ । ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ପାତ୍ର ଓ ସୁସ୍ମିତା ବେହେରା ବିଜ୍ଞାନ ଦିବସ ଉତ୍ସବ ପରିଚାଳନା କରିଥିଲେ । ଶିକ୍ଷକ ଯୁଧିଷ୍ଠିର ବେହେରା, ଭାଗିରଥି ମିଶ୍ର, ଜୟଶ୍ରୀ ଦୋରା, ଯମୁନା ରେଡ୍ଡୀ, ଉଷାରାଣୀ ମିଶ୍ର, ନନ୍ଦିନୀ ସେଠୀ, ପର୍ଶୁରାମ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଏନ୍.ସି.ସି. ଫାଷ୍ଟ ଅଫିସର ସୁଧାକର ବୋଳି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଜ୍ଞାନ ଉପରେ ପରିଚାଳିତ ବିଭିନ୍ନ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।
Prev Post