ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କୃତି ଭବନ, ସୁନ୍ଦରଗଡଠାରେ ଅବଦାନ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ ଜଣ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରି ପଞ୍ଜୀକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକମାନଙ୍କ ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏତଦ୍‌ ବ୍ୟତୀତ ଏକ ବରିଷ୍ଠ ନାଗରିକଙ୍କ ସଚେତନତା ନିମନ୍ତେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ କୁନ୍ତୀ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳନର ମହତ୍ଵ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ନ୍ୟାୟ ପ୍ରାଧିକରଣ ସଚିବ ଡ. ରିନତି ମିଶ୍ର ବରିଷ୍ଠ ନାଗରିକଙ୍କ ଆଇନଗତ ଅଧିକାର ଓ ସଚେତନତା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ସୁନ୍ଦରଗଡ଼ ଟାଉନଥାନାର ସାଇବର ସୁରକ୍ଷା ଅଧିକାରୀ ମୁକେଶ ସାହାଣି Digital literacy ଏବଂ ସାଇବର କ୍ରାଇମ ପ୍ରତି କିପରି ସଚେତନ ହେବେ ସେ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଲିଡ ବ୍ୟାଙ୍କ ଅଧିକାରୀ ଗଗନ ବିହାରୀ ଧଳ ଏବଂ ମୁଖ୍ୟ ନିବନ୍ଧକ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମୁଖ୍ୟ ଶାଖା ସୁପ୍ରିୟ ରଞ୍ଜନ ଖୁଣ୍ଟିଆ financial literacy ଓ ଡିଜିଟାଲ ବ୍ୟାଙ୍କିଙ୍ଗର ଉପଯୋଗୀତା ଓ ଅନୁପଯୋଗୀତା ଉପରେ ଦୃଷ୍ଟିପାତ କରିଥିଲେ । ଡ଼ିଇଜିଏମ ଓକାକ ଅଂଶୁମାନ ପୁରୋହିତ, ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସଂଘର ସଭାପତି ଡ଼. ଚିରବ୍ରତ ଦତ୍ତ, ବରିଷ୍ଠ ନାଗରିକ ସଂଘର ସଭାପତି ଦିଲ୍ଲୀପ କୁମାର ପଟେଲ, ବରିଷ୍ଠ ନାଗରିକ କଲ୍ୟାଣ ପରିବାରର ସଭାପତି ଅରୁଣ ପୃଷେଠ ପ୍ରଭୃତି ବରିଷ୍ଠ ନାଗରିକ ସଚେତନତା ଉପରେ ନିଜର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମିତାଲି ରଣା ପରିଚାଳନା କରିଥିଲେ । ଏହାପୂର୍ବରୁ ଫେବୃୟାରୀ ପ୍ରଥମ ସପ୍ତାହରୁ SAPSrC ଏବଂ କେନ୍ଦ୍ର ସରକାରଙ୍କ AVYAY ଯୋଜନା ଅନ୍ତର୍ଗତ ସୁନ୍ଦରଗଡ ଜିଲ୍ଲାର ୧୭ ଗୋଟି ବ୍ଲକରେ ଆନ୍ତଃପିଢି ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୩ ଗୋଟି ଉପଖଣ୍ଡ ଓ ରାଉରକେଲା ମହାନଗର ନିଗମରେ ସ୍ମରଣ ଶକ୍ତିହ୍ରାସ ରୋଗ ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ତତସହିତ ସୁନ୍ଦରଗଡ ଜେଲ ଓ ରାଉରକେଲା ସ୍ଵତନ୍ତ୍ର ଜେଲର ବୃଦ୍ଧ ଅନ୍ତେବାସୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ଜିଲ୍ଲାର ୩ ଗୋଟି ବୃଦ୍ଧାଶ୍ରମ ଯଥା ତେଲେନଡ଼ିହି, ଲୁହୁରାଢିପା ଓ ରାବନଡ଼ିହିଠାରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ କରଯାଇଥିଲା । ଏତତବ୍ୟତୀତ ଏହା ପୂର୍ବରୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଏଜ ଇଣ୍ଡିଆ, ଭୁବନେଶ୍ଵର ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ସହଭାଗିତାରେ ତା ୧୧.୦୨.୨୦୨୬ ରିଖ ଦିନ ସ୍ଥାନୀୟ ସଦ୍‌ଭାବନା ଭବନଠାରେ ବରିଷ୍ଠ ନାଗରିକଙ୍କ ଆଇନଗତ ଅଧିକାର ଓ ସୁରକ୍ଷା ଏବଂ “Maintenance & Welfare of Senior Citizens Act” ଉପରେ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମଗୁଡିକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନର ସହଭାଗୀତାରେ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି ।

Leave A Reply

Your email address will not be published.