- ମୁଷ୍ଟିମେୟ ସାଧକ ହିଁ ସମାଜର ମୋଡ଼ ବଦଳାଇପାରିବେ : ଡ଼. ପ୍ରସାଦ
ବ୍ରହ୍ମପୁର, (କେପିଏନ୍ଏସ୍) : ଆମ୍ବପୁଆସ୍ଥିତ ସିଟି କଲେଜ ପରିସରସ୍ଥ ସୋସାଇଟି ଫର୍ ଦି ଡିଜେବଲ, ଆଶ୍ରା କ୍ଲବ, ଭିତ୍ତମର ମିଳିତ ଉଦ୍ୟମରେ ବିଶ୍ୱ ଆଶାବାଡ଼ି ଦିବସ ପାଳିତ ହୋଇଯାଇଛି । ସୋସାଇଟି ଫର୍ ଦି ଡିଜେବଲର ପ୍ରତିଷ୍ଠାତା ସଭାପତି ରାଷ୍ଟ୍ରପତି ପଦକ ହାସଲ କରିଥିବା ଡ଼. ବିଜୟ କୁମାର ରଥ ଅଧ୍ୟକ୍ଷତା କରି ଏହି ଦିବସର ତାପର୍ଯ୍ୟ ଓ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଭିତ୍ତମର ସେକ୍ରେଟାରୀ ପ୍ରଫେସର ଡ଼. ଏମ୍ବିଏନ୍ଭି ପ୍ରସାଦ ଯୋଗଦେଇ କିଛି ମୁଷ୍ଟିମେୟ ସାଧକ ହିଁ ସମାଜର ମୋଡ଼ ପରିବର୍ତ୍ତନ କଲା ଭଳି ଆଜିର ସମାଜରେ ମଧ୍ୟ କିଛି ଲୋକ ଏହି ଦାୟିତ୍ୱ ଗ୍ରହଣ କରି ଦୃଷ୍ଟିହୀନ ମାନଙ୍କ ସମସ୍ୟା ସମାଧାନ କରି ବ୍ୟକ୍ତିଙ୍କ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ ନକରି ସମାଜର ପରିବର୍ତ୍ତନ ପାଇଁ ଉଦ୍ୟମ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭିତ୍ତମର ଅଧ୍ୟକ୍ଷ ଡ଼. ଜି. ଉଶ୍ୱର ରାଓ, ଉପାଧ୍ୟକ୍ଷ ପ୍ରଫେସର ଶ୍ରୀନିବାସ ରାଓ, ଡ଼. ସୂର୍ଯ୍ୟମଣି ବେହେରା, ଅନୁପ କୁମାର ପଣ୍ଡା, ଡ଼. ଗୀତାଞ୍ଜଳି ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ସିଟି କଲେଜର ବି. ମୁରଲୀ, ଅଭିପ୍ସା ନନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ୫୦ରୁ ଊଦ୍ଧ୍ୱର୍ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ଆଶାବାଡ଼ି, ଶୀତବସ୍ତ୍ର ଓ ଦୃଷ୍ଟିହୀନମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବ୍ରେଲ ଲିପିରେ ହନୁମାନ ଚାଳିଶା, ଲକ୍ଷ୍ମୀପୁରାଣ ପ୍ରଭୃତି ଉପହାର ପ୍ରଦାନ କରାଯାଇଥିଲା । ଡ଼. ଆଲୋକ ସାମନ୍ତରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଭା ଶେଷରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିଲା ।