ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ) ପରିସରରେ ବିଶ୍ୱ ସ୍ୱ-ଯତ୍ନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟକ୍ତି ଜୀବନରେ ସମାଜସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମାତ୍ର ସମାଜସେବା କରିବାକୁ ହେଲେ ବ୍ୟକ୍ତିକୁ ପ୍ରଥମେ ନିଜେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଉଚିତ । ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଛାତ୍ର, ଛାତ୍ରୀଙ୍କୁ ସ୍ଵ-ଯତ୍ନ ଦିବସ ବିଷୟରେ ଅବଗତ କରାଇବା ପାଇଁ ଆଜି ବିଦ୍ୟାଳୟ ପରିସରରେ ବିଶ୍ୱ ସ୍ୱ-ଯତ୍ନ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର PHARMACY AND ALLIED HEALTH SERVICE – SOPHASର ଉଦ୍ୟମରେ ସଫଳ ରୂପେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସ୍ୱ-ଯତ୍ନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମଟି ବିଶ୍ୱ ବିଦ୍ୟାଳୟର ବି.ଏସ.ସି ନର୍ସିଙ୍ଗ ଓ ଜି.ଏନ୍‌.ଏମ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଳିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରଥମରେ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସ୍ୱଚ୍ଛତା, ପ୍ରାଥମିକ ଚିକିତ୍ସା, ଋତୁଶ୍ରାବ ସମୟର ସ୍ୱଚ୍ଛତା ଅବଲମ୍ବନ, ସ୍ତନର ସ୍ଵ-ପରୀକ୍ଷଣ ପରି ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ତାଙ୍କ ଅଭିଭାଷଣ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ ସ୍ୱ-ଯତ୍ନ ପାଇଁ ପ୍ରେରଣା ମଧ୍ୟ ଯୋଗାଇଥିଲା । କାର୍ଯ୍ୟକ୍ରମଟି ବିଶ୍ୱ ବିଦ୍ୟାଳୟର ଫାର୍ମାସି ଓ ନର୍ସିଙ୍ଗ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମଟି ବିଶ୍ୱ ବିଦ୍ୟାଳୟର ଛାତ୍ରୀ ଅଭିଜିତା ଓ ସିମରନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉତ୍ସାହ, ଉଦ୍ଦୀପନା ଓ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ଥିଲା । ଶେଷରେ ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବଣ୍ଟନ କରାଯାଇ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲା । ବାସ୍ତବରେ ଏଇ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ ସ୍ୱ-ଯତ୍ନ ପାଇଁ ପ୍ରେରଣା ଯୋଗାଇବ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଏଭଳି ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

jittmm
Leave A Reply

Your email address will not be published.