
- ଶ୍ରେଷ୍ଠ ମହିଳା ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନା
- ହଳଦୀ କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସରପଞ୍ଚଙ୍କ ପ୍ରତିଶ୍ରୁତି
- ମହିଳା ଦିବସକୁ ଭୁଲିଗଲା ବ୍ଲକ ପ୍ରଶାସନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ସ୍ଥିତ କଲ୍ୟାଣମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନର ସଂପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଥା ରିଲାଏନସ ଫାଉଣ୍ଡେସନ ସହାୟତାରେ ଶନିବାର ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରୁ ୨୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ, ସିଆର୍ପି, ମହିଳା ସଂଗଠିକା ଓ ମହିଳା ନେତ୍ରୀଗଣ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା, କୃଷି ଓ ଜୀବିକାର୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୬ଜଣ ବିଶିଷ୍ଟ ମହିଳା ଉଦ୍ୟୋଗୀ ଟେଭା ସଗ୍ରୀଆ, ଜାନକୀ ଭୋଇ, ଗୁଣବତୀ ଖର୍ସେଲ, ଦଇନୀ ମାଝୀ, ଲଳିତା ବାଗ ଓ ନିତୁଳ ଧରୁଆଙ୍କୁ ମାନପତ୍ର ସହିତ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ହଳଦୀ ଗ୍ରାମ ପଞ୍ଚାୟତ ସରପଞ୍ଚ ସୌମିନା ସେଠ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଦୁର୍ଗାନନ୍ଦ ମହାକୁର, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଡ.ଭଗବାନ ମହାନ୍ତି, ରିଲାଏନ୍ସ ଫାଉଣ୍ଡେସନର ଷ୍ଟେଟ ପ୍ରୋଗ୍ରାମ ମ୍ୟାନେଜର ରାଜିନ୍ଦର ସିଂ, ରିଲାଏନ୍ସ ଫାଉଣ୍ଡେସନର ଅସିତ ପୁରୋହିତ, ରମଣୀ ରଞ୍ଜନ ସେଠି, ପିୟୁରାଣୀ ମଲ୍ଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । କଣ୍ଟାବାଞ୍ଜି ଭୋକେସନାଲ କଲେଜର ଓଡିଆ ବିଭାଗ ସ୍ନାତକୋତ୍ତର ଛାତ୍ରୀ ନିହାରୀକା କମ୍ପ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ମହିଳା ସଶକ୍ତିକରଣ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପସ୍ଥିତ ମହିଳା ସଦସ୍ୟାମାନେ ସେମାନଙ୍କ ସଂଘର୍ଷ କାହାଣୀ, ଜୀବିକା ଓ ଆର୍ଥିକ ଅଭିବୃଦ୍ଧିରେ ତାଙ୍କ ଭାଗିଦାରିତା ,ମହିଳାମାନଙ୍କ ଅଧିକାର, ସ୍ୱାଭିମାନ, ସମାନତା, ଝିଅ ଓ ମହିଳାମାନଙ୍କ ମୌଳିକ ସମସ୍ୟା, ସମାଜ ଗଠନରେ ନାରୀର ଭୂମିକା ଆଦି ଉପରେ ଆଲୋକପାତ କରିଥିବା ବେଳେ ଅତିଥିମାନେ ନାରୀମାନଙ୍କ ସୁରକ୍ଷା, କୁପୋଷଣ ମୁକ୍ତି, ସରକାରୀ ଯୋଜନା ସହିତ ନ୍ୟାୟ ଓ ନିଷ୍ପତ୍ତି ପ୍ରକ୍ରିୟାରେ ଭାଗିଦାରିତା, ନାରୀମାନଙ୍କ ସମ୍ମାନ ଓ ସ୍ୱାଭିମାନ, ନାରୀ ଏକତା, ନାରୀ ସଂଗଠନ, ନାରୀ ଶିକ୍ଷା, ମହିଳା କେନ୍ଦ୍ରିକ ବିକାଶ ତଥା ମହିଳା ସଶକ୍ତି କରଣ ଉପରେ ଗୁରୁତ୍ୱଆରୋପ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ସରପଞ୍ଚ ଶ୍ରୀମତୀ ସେଠ ଅସମ୍ପୂର୍ଣ୍ଣ ହଳଦୀ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆଗାମୀ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଜନମୁକ୍ତି ଅନୁଷ୍ଠାନର ଚିତ୍ରଲେଖା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କିରଣ ଜାଲ ଧନ୍ୟବାଦ ଦେଇଥିଲେ । ଆନ୍ତର୍ଜାତୀୟ ମହିଳା ଦିବସକୁ ମୁରିବାହାଲ ବ୍ଲକ ପ୍ରଶାସନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥା ଓଏଲ୍ଏମ୍ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ବେଳେ ଏଥିପାଇଁ ବ୍ଲକରେ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିବାକୁ ନେଇ ବ୍ଲକ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅବସରରେ ମହିଳା ଉଦ୍ୟୋଗୀମାନଙ୍କ ଦ୍ଵାରା ଘରୋଇ ଉତ୍ପାଦ ଜୈବିକ କୀଟନାଶକ, ଜିଆଖତ, ଡ୍ରାଗନ୍ ଚାରା, ମିକ୍ଚର ମିନେରାଲ ଆଦି ପ୍ରଦର୍ଶନୀ ସହିତ ବିକ୍ରୟ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ କର୍ମୀ ହିମାଂଶୁ ପଣ୍ଡା, ସଂଜୀବ ବାରିକ, ପ୍ରକାଶ କୁମାର ବନ୍ଧିଛୋର, ଜୟସିଂ ବନଛୋର, ଆଶିଷ ସା, ସଂଜିତା ହାତୀ, ସୁବର୍ଣ୍ଣି ବାଗ, ଭାଗ୍ୟଧର ଚିନ୍ଦା, ଲଳିତ ରଣା, ତ୍ରିଲୋଚନ ସାହୁ, ଅଶୋକ ନେଉରା, ସୁଶୀଳ ସାହୁ, ମାତୀନ୍ଦ୍ର ବାଗ, ଲକ୍ଷ୍ମୀଧର ବାଗ, ରଞ୍ଜିତା ହରପାଲ, ଚନ୍ଦନ ମେହେର, ମହେଶ୍ୱର ରଣା, ବିଦେଶୀ ବୁଡ଼େକ, ଜାନକୀ ଭୋଇ, ହରିଶ ବଗର୍ତ୍ତୀ, ବୈଷ୍ଣବୀ ମହାକୁର, ବିଧୁ ବାଗ, ବୈଷ୍ଣବ ମହାନନ୍ଦ, କୁମଦିନୀ ପାତ୍ର, ଲୋଚନ ବାଗ ଏବଂ ନବୀନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।