ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନ୍ସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନ୍ସିସି ଦିବସ) ପାଳିତ ହୋଇଯାଇଛି । ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ଵାଲ ତାଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଏକତା, ଦେଶପ୍ରେମ ଓ ଶୃଙ୍ଖଳା ଭାବନା ଉପରେ ଆଲୋକପାତ କରିଥିଲେ । ସେ କ୍ୟାଡେଟମାନଙ୍କୁ ସେବା ଓ ନେତୃତ୍ୱ ପ୍ରତି ସମର୍ପଣ ଜାରି ରଖିବାକୁ ଅନୁରୋଧ କରିଥିଲେ । କ୍ୟାଡେଟ୍ ମାନେ ସେମାନଙ୍କ ଭାଷଣରେ ନିଜର ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିରେ ଏନସିସିର ଭୂମିକାଉପରେ ଆଲୋକପାତ କରିଥିଲେ । ଏନ୍ସିସିର ପ୍ରଶିକ୍ଷଣରେ ଜାତୀୟତାବାଦ, ଦେଶପ୍ରେମ, ଶୃଙ୍ଖଳା, ଦଳୀୟ ଭାବନା, ନେତୃତ୍ୱ, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ଗୁଣ ଉପରେ ଗୁରୁତ୍ୱ ଦିଆଯାଏ । ଏଏନ୍ଓ ଏବଂ ସଂଯୋଜକ ଲେଫ୍ଟନାଣ୍ଟ (ଡ.) ଆର୍. ସେଠୀ ଅତିଥି ଓ କ୍ୟାଡେଟମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଡିଇ ଓ ଛାତ୍ର ପରିଷଦ ଉପଦେଷ୍ଟା ପ୍ରଫେସର ଏଲ୍ ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଳକ ଓ ବାଳିକା ଶାଖାର କ୍ୟାଡେଟ୍ ମାନେ ଜାତୀୟ ଏକତା ଓ ଅଖଣ୍ଡତା ଉପରେ ସ୍ଲୋଗାନ୍ ଦେବା ସହ ଶୋଭାଯାତ୍ରା କରିଥିଲେ ଓ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ କ୍ୟାଡେଟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଏବଂ ସିଟିଓ ଡ. ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।