ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ଦିବସ ମଙ୍ଗଳବାର କଲେକ୍ଟ୍ରେଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନସ୍ଲୋ ସରକାରୀ ବିଦ୍ୟାଳୟ ଠାରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ବିଭିନ୍ନ ବିପତ୍ତି ମାଡି ଆସୁଛି । ଏହି ସମୟରେ ଗୋଷ୍ଠୀଗତଙ୍କୁ ସାମିଲ କରାଯାଇ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତି କରିବା ତେବେ ଯାଇ ଆସୁଥିବା ବିପତ୍ତିର ମୁକାବିଲା କରିବା ସମ୍ଭବପର ହେବ । ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ଆଜି ସଚେତନତା ହିଁ ମୁଖ୍ୟ ମାଧ୍ୟମ ସାଜିଛି । ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ କରିବା ସହିତ ପୂର୍ବରୁ ସଜାଗ ରହିଲେ ବିପତ୍ତିର ମୁକାବିଲା ସହଜସାଧ୍ୟ ହୋଇପାରିବ । ଏଥି ନିମନ୍ତେ ପ୍ରତି ଗ୍ରାମରେ ଭିତ୍ତିଭୂମି ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଏବଂ ସୁଧାଂଶୁ କୁମାର ଭୋଇ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସଂଗଠିତ ଚିତ୍ରାଙ୍କନ, ଓଡିଆ ପ୍ରବନ୍ଧ ଲିଖନ ଓ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟୀ କଲେକ୍ଟର ଆୟୁଷ ପତି, ଡେପୁଟୀ କଲେକ୍ଟର ନିର୍ବାଚନ ରାଜେଶ କୁମାର ଏକ୍କା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।