ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ୨ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ବଲାଙ୍ଗିର ଓ ପାଟଣାଗଡ ବ୍ଲକ ଓ ବାଳିକା ବିଭାଗରେ ବଲାଙ୍ଗିର ଓ ସଇଁତଳା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ବଲାଙ୍ଗିର ବ୍ଲକ ୫-୦ ଗୋଲରେ ବିଜୟୀ ହୋଇଥିଲା । ଦଳ ତରଫରୁ ଜର୍ସି ନଂ- ୧୧, ପ୍ରବୀଣ ଲାକ୍ରା ୨ଟି, ଜର୍ସି ନଂ- ୫, ୧ ଓ ୩ ଯଥାକ୍ରମେ ମୁକେଶ ଜୁଏଡ, ବଳରାମ ବେହେରା ଓ ଶୁଭ୍ରାଂଶୁ କଲେତ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିପରି ବାଳିକା ବିଭାଗରେ ସଇଁତଳା ଦଳ ୨-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଦଳ ତରଫରୁ ଜର୍ସି ନଂ- ୧୪ ପ୍ରିୟଙ୍କା ମାଝି ଓ ଜର୍ସି ନଂ- ୧୨ ଡୋଳେଶ୍ଵରୀ ବୁଡେକ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ସାଂସଦ, ରାଜ୍ୟସଭା ନିରଞ୍ଜନ ବିଶି ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଶାରୀରିକ ଶିକ୍ଷା ନିରିକ୍ଷକ ଅନ୍ତର୍ଯ୍ୟାମି ବିଶ୍ଵାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଭିନ୍ନ ବିଦ୍ୟାଳୟକୁ ଫୁଟବଲ ବଣ୍ଟନ କରଯାଇଥିଲା ।
ଆଜିର ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ମୋହନ ପ୍ରଧାନୀ, ଉପେନ୍ଦ୍ର ଚନ୍ଦନ, ରାଜକୁମାର ପାଣିଗ୍ରାହୀ, ଆଶିଷଦେବ ସାହା, ବିଜୟ କୁମାର ଖମାରି, ଶୁଖିରାଜ ବିଶ୍ଵାଳ, ରାଜେଶ ସ୍ଵାଇଁ ପରିଚାଳନା କରିଥିଲେ । ନରସିଂହ ସ୍ଵାମୀ ନାଇଡୁ ମୁଖ୍ୟ ଖେଳ ପରିଚାଳକ ଦାୟିତ୍ଵ ତୁଲାଇଥିଲେ । ଆସନ୍ତାକାଲି ବାଳକ ବିଭାଗରେ ସଇଁତଳା ଓ ମୁରିବାହଲ ବ୍ଲକ ଏବଂ ଖପ୍ରାଖୋଳ ଓ ଦେଓଗାଁ ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।