oum

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବରଗଡ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ରାଣା ପ୍ରତାପ ହାଇସ୍କୁଲ ନିକଟସ୍ତ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ୍‌ ଠାରେ ସାମୁହିକ ଯୋଗାଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଗ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ ଯୋଗ ଦେଇ ସମାଜରେ ଶାନ୍ତି ସ୍ଥାପନ ତଥା ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଯୋଗର ମହତ୍ଵକୁ ବୁଝାଇବାକୁ ଯାଇ ଭାରତର ଯଶସ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୈନିକ ଜୀବନଚର୍ଯ୍ୟା, ସେବା ମନୋଭାବ ଏବଂ ସକ୍ରିୟ କାର୍ଯ୍ୟଶୈଳୀର ଉଦାହରଣ ଦେଇଥିଲେ । ଏତଦ୍‌ବ୍ୟତୀତ ବରଗଡ ସହରକୁ ସୁନ୍ଦର କରିବା ପାଇଁ ‘ମା ପାଇଁ ଗଛଟିଏ’ ନାରା ଦେବା ସହ ସମସ୍ତେ ନିଜ ନିଜ ଘରେ ଗଛ ଲଗାଇ ତାର ଯତ୍ନ ନେବାପାଇଁ କହିଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଶିବିରରେ ଉପସ୍ଥିତ ରହି,ଏକ ସୁସ୍ତ ଜୀବନ ପାଇଁ ଯୋଗର ମହତ୍ଵ ବୁଝାଇବା ସହ ସମସ୍ତେ ପ୍ରତିଦିନ ଯୋଗ କରି ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଚନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଶଣ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛେତ୍ରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଉପସ୍ଥିତ ରହି ଅନ୍ୟମାନଙ୍କ ସହ ଯୋଗାସନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର ଶିବିରକୁ ପରିଚଳନା କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସରକାରୀ /ବେସରକାରୀ ସଂସ୍ଥାର କର୍ମଚାରୀ, ସାମ୍ବାଦିକ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ମନ୍ତ୍ର ଉଚ୍ଚାରଣ ପରେ ପରେ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା । ପଦ୍ମାସନ, ତାଡାସନ, ଭୁଜଙ୍ଗାସନ ଓ ସୂର୍ଯ୍ୟ ନମସ୍କାର ଭଳି ବିଭିନ୍ନ ଯୋଗସନ କରାଯାଇ ସେସବୁର ଆମ ଶରୀର ପାଇଁ ଥିବା ଉପାଦେୟତା ବାବଦରେ ସୂଚନା ଦିଆଯାଇଥିଲା । ପରିଶେଷରେ ସ୍ଥାନୀୟ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ଯୋଗ ଦେଇଥିବାରୁ ସେମାନଙ୍କୁ ପୁରସ୍କୃତ କରିବା ସହ ସବୁଦିନ ଯୋଗ କରିବା ପାଇଁ ସାମୁହିକ ଶପଥପାଠ କରାଯାଇଥିଲା ।

Leave A Reply

Your email address will not be published.