ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଏପ୍ରିଲ ୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ପ୍ରତିଷ୍ଠା ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସୁସ୍ଥତାର ମହତ୍ତ୍ୱକୁ ଆଲୋକିତ କରିବା ପାଇଁ ଏହି ଦିନ ପାଳନ କରାଯାଏ । ଏହି ଦିନକୁ ପାଳନ କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏକତ୍ରିତ ହୋଇ ସମସ୍ତଙ୍କ ପାଇଁ ଏକ ସୁସ୍ଥ ବିଶ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଡବ୍ଲୁଏଚ୍‌ଓର ସଫଳତାକୁ ଲୋକଲୋଚନକୁ ଆଣିବା ଉଦ୍ଧେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥାଆନ୍ତି । ଡବ୍ଲୁଏଚ୍‌ଓ ହେଉଛି ଏକ ସ୍ୱୟଂଶାସିତ ସଂଗଠନ ଯାହା ମିଳିତ ଜାତିସଂଘ ଅଧୀନରେ କାର୍ଯ୍ୟ କରେ ଏବଂ ବିଶ୍ଵ ସ୍ତରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗକୁ ପ୍ରୋତ୍ସାହିତ କରିଥାଏ । ୨୦୨୪ ହେଉଛି ଡବ୍ଲୁଏଚ୍‌ଓର ୭୬ତମ ବାର୍ଷିକୀ ଏବଂ ଚଳିତବର୍ଷର ଥିମ୍ ହେଲା ‘ମୋର ସ୍ୱାସ୍ଥ୍ୟ, ମୋର ଅଧିକାର’ । ଏହାର ଅର୍ଥ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ସୂଚନା ହେଉଛି ମୌଳିକ ମାନବିକ ଅଧିକାର । ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ଅଂଶ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟାକୁ କିପରି ସମାଧାନ କରାଯିବ ଡବ୍ଲୁଏଚ୍‌ଓ ଜନସାଧାରଣଙ୍କୁ ସଂଗଠନ ଏବଂ ସରକାରମାନଙ୍କୁ ତାହା ଶିକ୍ଷା ଦିଏ । ଡବ୍ଲୁଏଚ୍‌ଓ ଗୁରୁତ୍ୱପୂର୍ଣ୍ଣ ସଫଳତା ସହିତ ମିଳିମିଳା, ଚିକେନ୍ପକ୍ସ, ପୋଲିଓ, ଟିବି, କୁଷ୍ଠରୋଗ ଇତ୍ୟାଦି ଉପରେ ଅନେକ କାର୍ଯ୍ୟ କରିଛି । ଗ୍ଲୋବାଲ୍ ୱାର୍ମିଂ, ଜଳବାୟୁ ପରିବର୍ତ୍ତନ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ କର୍କଟ, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ, ମଧୁମେହ, ମେଦ ବୃଦ୍ଧି, କିଡନୀ ତ୍ରୁଟି, ସ୍ମୃତି ଶକ୍ତି ହ୍ରାସ ଇତ୍ୟାଦି ଅନେକ ପ୍ରକାରର ରୋଗ ଡବ୍ଲୁଏଚ୍‌ଓ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରେ ।
ସୁସ୍ଥତା ହେଉଛି ଶରୀର, ମନ ଏବଂ ଆତ୍ମା​​ର ସଂପୂର୍ଣ୍ଣ ଏକୀକରଣ ଆମେ ଯାହା କରୁ, ଚିନ୍ତା କରୁ, ଅନୁଭବ କରୁ ଏବଂ ବିଶ୍ଵାସ କରୁ, ତାହା ଆମ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ ।

Leave A Reply

Your email address will not be published.