ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଅବକାରୀ ବିଭାଗ, ଆଇନ୍ ବିଭାଗୀୟ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ମୁଖ୍ୟଅତିଥି ଆଇନ୍ ମନ୍ତ୍ରୀ ହରିଚନ୍ଦନ ଉଦବୋଧନ ଦେଇଥିଲେ । ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶାର ନିର୍ମାଣ କରିବାକୁ ସଂକଳ୍ପବଦ୍ଧ ହୋଇ ଏକ ଗଠନ ମୂଳକ ପରିକଳ୍ପନାର ପଦକ୍ଷେପ ନେଇଛୁ ବୋଲି ମନ୍ତ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି । ଏବେ ଆମ ରାଜ୍ୟ ପାଇଁ ଶିଳ୍ପ, ବାଣିଜ୍ୟ କର୍ମ ନିଯୁକ୍ତି, ଯୋଜନାର ଏକ ବିକାଶଶୀଳ ରାଷ୍ଟ୍ର ଗଠନ କରିବା ପାଇଁ ଦୃଢ଼ ସଂକଳ୍ପ ଓ ପ୍ରତିଜ୍ଞାର ସମୟ ଆସିଛି । ଆମର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଆମେ ଛିଡା ହୋଇଛୁ । ଯାହା ଆମ ସରକାର ଉଦ୍ୟମରତ ଅଛନ୍ତି । ଶିକ୍ଷାର ଗୁଣାତ୍ମକ ମାନ ବିକାଶ ଦିଗରେ ଆମ ସରକାର ଉଦ୍ୟମ ଜାରୀ ରଖିଛନ୍ତି । ସୁଭଦ୍ରା ଯୋଜନାର ସଫଳ ରୂପାୟନ ହେବ । ଏହା ଚଳିତ ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ ହେବାକୁ ଯାଉଛି । ସାମାଜିକ ସୁରକ୍ଷା ଦିଗରେ ସରକାର ବିଭିନ୍ନ ଯୋଜନାମାନ ପରିକଳ୍ପନା କରିଛନ୍ତି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ମହୋଦୟ ଆହୁରି କହିଛନ୍ତି ଯେ’ସାମାଜିକ ସୁରକ୍ଷା ଦିଗରେ ସରକାର ବିଭିନ୍ନ ଯୋଜନାମାନ ପରିକଳ୍ପନା କରିଛନ୍ତି । ଆଗାମୀ ୨୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ରାଜ୍ୟ ସରକାର ବ୍ୟୟବରାଦ କରିଛନ୍ତି । ସଡକ ପଥର ବିକାଶ ଦିଗରେ ଏକ ମାଇଲଖୁଣ୍ଟର ପଦକ୍ଷେପ ଆମ ସରକାର ଗ୍ରହଣ କରିଛନ୍ତି । ଏଣିକି ପ୍ରତି ମାସରେ ଓଡ଼ିଶାର ପ୍ରତିଟି ଜିଲ୍ଲା ସଦର ମହକୁମାରେ ଦୁଇଟି ସ୍ତରରେ ଦୁଇଟି ପର୍ଯ୍ୟାୟରେ ମନ୍ତ୍ରୀ, ବିଧାୟକ ଓ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନକୁ ନେଇ ଏକ ଅଭିଯୋଗ ଶୁଣାଣି ସଂଗଠିତ କରାଯିବ । ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ହୋଇଛି ବୋଲି ମନ୍ତ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ଆନୁଷ୍ଠାନିକ ପ୍ୟାରେଡ୍‌ ଉତ୍ସଵରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଦେଵବ୍ରତ ସାହୁ (ରାଜସ୍‌ବ), ଅତିରିକ୍ତ ଜିଲ୍ଲାପାଳ (ଇଲେକ୍ସନ), ସୁଧାଂଶୁ କୁମାର ଭୋଇ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ନଗରପାଳିକା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଅତିଥି ଜିଲ୍ଲାର ବହୁ ପଦାଧିକାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ୟାରେଡ ପ୍ରଦୀକ୍ଷଣ, ସ୍କୁଲ୍ ଛାତ୍ରଛାତ୍ରୀଙ୍କର ସୁନ୍ଦର ଚିତ୍ତାକର୍ଷକ ଶାରୀରିକ କ୍ରୀଡ଼ା ପ୍ରଦର୍ଶନ, ପିଟି.ଡିସ-ପ୍ଲେ ପରିବେଷଣ ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିଲା । ବହୁ ଆଦର୍ଶ ବ୍ୟକ୍ତି ବିଶେଷ୍ୟଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପ୍ୟାରେଡ୍‌ ଦଳକୁ ବିଜୟୀ ସ୍ମାରକୀ ଉପହାର ଏବଂ ବହୁ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ମାନପତ୍ର ସହ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ । ପ୍ୟାରେଡ୍‌ ଉତ୍ସଵ ସମାହିତ ପରେ ପ୍ରଶାସନ ଅଧିକାରୀଙ୍କ ସହ ଛତ୍ରପୁର ପ୍ରେସ୍ କ୍ଲବ୍‌ର ସାମ୍ୱାଦିକ ମାନଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଡିଆରଡିଏ ସମ୍ମିଳନୀ (ଜଉଗଡ଼) ଗୃହରେ ଜିଲ୍ଲାସ୍ତରୀୟ ବହୁ ଭାଷାକବିତା ପାଠ ଆସର ସଂଗଠିତ ହୋଇଥିଲା । ସନ୍ଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ବିବିଧତା ମଧ୍ୟରେ ଭିନ୍ନତା ରୂପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଂଯୋଜନା ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.