ଜୟପାଟଣା, (ଶେଷଦେବ ବେହେରା) : ମଣିଷ ଆରପାରିକୁ ଚାଲି ଯିବା ପରେ କର୍ମଫଳର ପ୍ରଭାବ ଅନ୍ୟ ମାନଙ୍କୁ ପ୍ରଭାବିତ କରିଥାଏ । ଏକ ଗ୍ରମଞ୍ଚାଳରେ ନିଜର ବୈବାହିକ ଜୀବନ କାଳ ମଧ୍ୟରେ ଶିକ୍ଷା, ଧର୍ମ ନାରୀ ସଶକ୍ତି କରଣ, ଆଞ୍ଚଳିକ ବିକାଶ ମଧ୍ୟରେ ନିଜକୁ ସମର୍ପିତ ରଖି ଅଧୁରା ଜୀବନ କାଳରେ ଆରପାରିକୁ ଚାଲିଗଲେ । ଏବେ ମୃତ୍ୟୁର ଏକବର୍ଷ ପୂର୍ତ୍ତି ପରେ ଗୃହକର୍ତ୍ତାଙ୍କ ଉଦ୍ୟମ ସ୍ଥାନୀୟ ଜନସାଧାରଣଙ୍କ ଆବେଗରେ ଗତ ରବିବାର ଦିନ ସେହି ମହିୟସୀଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାନୀୟ ରାମ ମନ୍ଦିର ପରିସର ମଧ୍ୟରେ ଶତାଧିକ ଜନ ସାଧାରଣ, ନିଜର ସୁପୁତ୍ର ନଳିନୀ ପଟ୍ଟଯୋଶୀ ଓ ସ୍ୱାମୀ ବ୍ରଜେନ୍ଦ୍ର ନାରାୟଣ ପଟ୍ଟଯୋଶୀଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତିର ଅନାବରଣ ହୋଇଯାଇଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମର ସମାଜସେବୀ ବ୍ରଜେନ୍ଦ୍ର ନାରାୟଣ ପଟ୍ଟଯୋଶୀ ବନାରସ ହିନ୍ଦୁ ବିଶ୍ଵ ବିଦ୍ୟାଳୟରୁ ସ୍ନାତକୋତ୍ତର ସାରି ଅବସ୍ଥାନ କାଳରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ହେବା ସହ ବ୍ଲକର ସାମଗ୍ରିକ ବିକାଶ ସହିତ ନିଜ ଅଞ୍ଚଳର ଶିକ୍ଷା, ସଂଗଠନ, ଧାର୍ମିକ ବାତାବରଣ ଦ୍ଵାରା ସମଗ୍ର କଳାହାଣ୍ଡି ଜିଲ୍ଲାରେ ନିଜର ପରିଚୟକୁ ସୁଦୃଢ କରିପାରିଥିଲେ । ସାଥିରେ ତାଙ୍କର ଧର୍ମପତ୍ନୀ ସ୍ୱର୍ଗତା ପଦ୍ମାଳୟା ମଧ୍ୟ ସ୍ଵାମୀଙ୍କ ପଦାଙ୍କ ଅନୁସରଣ କରି ନିଜର ପ୍ରଭାବ ପକାଇ ପାରିଥିଲେ । କିନ୍ତୁ ବର୍ଷକ ପୂର୍ବେ ମହିୟସୀ ପଦ୍ମାଳୟା ୬୪ବ୍ବର୍ଷ ବୟସରେ ଆରପାରିକୁ ଚାଲିଗଲେ । ଗତ ରବିବାର ତାଙ୍କରି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶତାଧିକ ଆତ୍ମୀୟ ସ୍ୱଜନ, ବୁଦ୍ଧିଜୀବି ଓ ଜନସାଧାରଣଙ୍କ ଉପସ୍ଥିତିରେ ଏକ ଶୋକ ସଭା ଆୟୋଜନ ପୂର୍ବକ ତାଙ୍କରି ପ୍ରତିମୂର୍ତ୍ତିକୁ ସ୍ଥାନୀୟ ରାମ ମନ୍ଦିର ପରିସରରେ ସ୍ଥାପନ କରି ଏକ ଭାବାବେଗ ପରିବେଶରେ ଅନାବରଣ କରାଯାଇଥିଲା ।