oum

ଟିପିଡବ୍ଲୁଓଡିଏଲ୍‌ ବିରୋଧରେ ପ୍ରତୀକ ଧର୍ମଘଟକୁ ଓହ୍ଲାଇଲା ବଲାଙ୍ଗିର ସିଟିଜନ୍‌ କମିଟି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବି ନେଇ ବଲାଙ୍ଗିର ପେଲେସ ଲାଇନ୍‌ ସ୍ଥିତ ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟରେ ପ୍ରତୀକ ଧର୍ମଘଟକୁ ଓହ୍ଲାଇଛି ବଲାଙ୍ଗିର ସିଟିଜନ୍‌ କମିଟି । କମିଟି ପକ୍ଷରୁ କୁହାଯାଇଛି ଯେ, ଘନ ଘନ ବିଦ୍ୟୁତ କାଟ ଯୋଗୁଁ ବଲାଙ୍ଗିର ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଗତ ଦିନରୁ ବଲାଙ୍ଗିରରେ ତାପମାତ୍ରା ୪୭ ଡିଗ୍ରୀ ମୁହାଁ ରହିଥିବା ବେଳେ ଲୋ’ ଭୋଲ୍‌ଟେଜ୍‌ ମଧ୍ୟ ଲୋକଙ୍କ ପାଇଁ ଘାତକ ସାଜିଛି । ଅଂଶୁଘାତରେ ମୂଲ୍ୟବାନ ଜୀବନ ନଷ୍ଟ ହେଉଥିବା ବେଳେ ସଂପୃକ୍ତ ବିଦ୍ୟୁତ ବିଭାଗ ନାମରେ ଆମେ ହତ୍ୟା ମାମଲା ରୁଜୁ କରିବାକୁ ମଧ୍ୟ ଆମେ ପଛଘୁଂଚା ଦେବୁ ନାହିଁ ବୋଲି କହିଛନ୍ତି ବଲାଙ୍ଗିର ସିଟିଜନ୍‌ କମିଟି ସଭାପତି ଡଃ. ଶ୍ରୀକର ମିଶ୍ର । ଏହି ଦିଗ ପ୍ରତି ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ଦାବି କରାଯାଇଛି । ଏଥିସହିତ ସ୍ମାର୍ଟ ମିଟର୍‌ ସଂଯୋଗକୁ ମଧ୍ୟ ବିରୋଧ କରିଛି ବଲାଙ୍ଗିର ସିଟିଜନ୍‌ କମିଟି । କୁହାଯାଇଛି ଯେ, ପ୍ରଥମେ ବିଦ୍ୟୁତ ବିଭାଗ ନିଜେ ସ୍ମାର୍ଟ ହେଉ, ତାପରେ ଉପଭୋକ୍ତାଙ୍କୁ ସ୍ମାର୍ଟ କରିବ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗତକାଲି ରୁଗୁଡ଼ିପଡ଼ାରେ ବିଦ୍ୟୁତ ମରାମତି ବେଳେ ଜଣେ ଠିକା ଲାଇନ୍‌ମେନ୍‌ଙ୍କ ମୃତ୍ୟୁ ଘଟିଥିବା କଥା ଦର୍ଶାଇ ଏହି ଘଟଣାରେ ମଧ୍ୟ ବିଦ୍ୟୁତ ବିଭାଗ ନାମରେ ହତ୍ୟା ମାମଲା ରୁଜ୍ଜୁ ହେବା ଦରକାର ବୋଲି ଏଠାରେ କୁହାଯାଇଛି । କେବଳ ଉପଭୋକ୍ତାଙ୍କୁ ଆର୍ଥିକ ଶୋଷଣ କରିବା ପାଇଁ ସ୍ମାର୍ଟ ମିଟର୍‌ ଲଗାଯାଉଥିବା ଅଭିଯୋଗ କରାଯାଇଛି । ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗିର ସହର ତ୍ରାହି ତ୍ରାହି ଡାକୁଥିବା ବେଳେ ଛୋଟରୁ ବଡ଼ ସମସ୍ତଙ୍କ ପାଇଁ ବୃକ୍ଷରୋପଣ ଏବେ ଏକ ଆହ୍ୱାନ ପାଲଟିଛି । ଏତିକି ବେଳେ ରାସ୍ତାକଡ଼ରେ ଲଗାଯାଇଥିବା ଗଛ ଥିନିଙ୍ଗ୍‌ ନାମରେ ମୂଳରୁ କାଟି ଦେଉଛି ବିଦ୍ୟୁତ ବିଭାଗ । ଏଣୁ ଏଭଳି ଅମାନବୀୟ କାମ ବନ୍ଦ କରିବାକୁ ମଧ୍ୟ ଦାବି କରିଛି ବଲାଙ୍ଗିର ସିଟିଜନ୍‌ କମିଟି । ତେବେ ଉପରୋକ୍ତ ତିନୋଟି ଦାବି ନେଇ ଆଜି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ଦାବିଗୁଡ଼ିକ ପ୍ରତି ବିଦ୍ୟୁତ ବିଭାଗ ଉଚିତ ପଦକ୍ଷେପ ଗ୍ରହଣ ନକଲେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଟିପିଡବ୍ଲୁଓଡିଏଲ୍‌ ସହରବାସୀଙ୍କୁ ଉଚିତ୍‌ ସେବା ପ୍ରଦାନ କରୁ, ନଚେତ୍‌ ବଲାଙ୍ଗିର ଛାଡ଼ି ଚାଲିଯାଉ ବୋଲି ସଭାପତି ଡଃ. ମିଶ୍ର ଚେତାବନୀ ଦେଇଛନ୍ତି । ଆଜିର ପ୍ରତୀକ ଧର୍ମଘଟ କାର୍ଯ୍ୟକ୍ରମରେ ସଭାପତି ଡଃ. ମିଶ୍ରଙ୍କ ସହ ସାଧାରଣ ସଂପାଦକ ମଧୁସୂଦନ ନାୟକ ଓ କମିଟିର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ମାର୍ଟ ମିଟର ଟେକ୍‌ନୋଲୋଜି ଅପ୍‌ଗ୍ରେଡେ଼ସନ୍‌ର ଏକ ଅଂଶବିଶେଷ । ଏହା ଉପଭୋକ୍ତ ପାଇଁ ଘାତକ ହେବନାହିଁ । ରାସ୍ତାକଡ଼ର ଗଛ କାଟିବା ଦିଗରେ ମଧ୍ୟ ଆମେ ବେଶ୍‌ ସଚେତନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.