jayashree

ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୩ ଦିନିଆ ଧର୍ମଘଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୩ ଦିନିଆ ଧର୍ମଘଟ କରାଯାଇଛି । ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କାର୍ଯ୍ୟ କରୁଥିବା ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କରେ କର୍ମଚାରୀମାନଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କମାନେ ଦୀର୍ଘବର୍ଷ ଧରି କ୍ଷତିରେ ଚାଲୁଥିବା ବେଳେ ୨୦୧୪ ମସିହା ଠାରୁ ସମସ୍ତ ବ୍ୟାଙ୍କ ଲାଭ କରୁଛନ୍ତି ଓ ବ୍ୟାଙ୍କର ଆୟରୁ କୋଟି କୋଟି ଟଙ୍କାର ଇନ୍‌କମ୍‌ ଟ୍ୟାକ୍ସ ସରକାରଙ୍କୁ ପ୍ରଦାନ କରୁଛନ୍ତି କିନ୍ତୁ କର୍ମଚାରୀମାନଙ୍କ ଆର୍ଥିକ ଦାବି ପୁରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି । ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନା ସମବାୟ ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ । ସରକାର ବ୍ୟାଙ୍କର ଖର୍ଚ ବହନ କରନ୍ତି ନାହିଁ । ବ୍ୟାଙ୍କ ନିଜ ଆୟରୁ ନିଜର ସମସ୍ତ ଖର୍ଚ କରିଥାଏ କିନ୍ତୁ ଦୁଃଖର ବିଷୟ କର୍ମଚାରୀମାନଙ୍କର ଦରମା ବୃଦ୍ଧି କରିବା କ୍ଷମତା ବ୍ୟାଙ୍କର ପରିଚାଳନା ପରିଷଦ ପାଖରେ ନ୍ୟସ୍ତ ଥିଲେ ମଧ୍ୟ ସରକାରଙ୍କ ବିନା ଅନୁମତିରେ ଏହା ଦିଆଯାଇ ପାରୁନାହିଁ । ଯଦ୍ୱାରା କି କର୍ମଚାରୀମାନେ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଂଚିତ ହେଉଛନ୍ତି । ଏହା ଏକ ବିଚିତ୍ର ବ୍ୟବସ୍ଥା ।

ଆହୁରି ମଧ୍ୟ କୁହାଯାଇଛି ଯେ, ବହୁ ଆଲୋଚନା ଧର୍ମଘଟ ପରେ ସରକାର କେନ୍ଦ୍ର ସମବାୟ କର୍ମଚାରୀମାନଙ୍କୁ ସପ୍ତମ ବେତନ ୨୦୧୯ ପାଖରୁ ଦେବାକୁ ନିର୍ଦେଶନାମା ଦେଲେ କିନ୍ତୁ କର୍ମଚାରୀମାନେ ସମସ୍ତେ ୨୦୧୬ ଠାରୁ ପାଇବାକୁ ହକଦାର । ସେହିପରି ୨୦୧୪ ପରଠାରୁ ଯେଉଁମାନେ ବ୍ୟାଙ୍କରେ ଚାକିରି କଲେ ସେମାନେ ଅବସର ପରେ ଇପିଏଫ୍‌ଓ ସ୍କିମ୍‌ ଅଧୀନରେ ପେନ୍‌ସନ୍‌ ପାଇବେ ନାହିଁ । ଏହା ବିଧି ମୁତାବକ ଚାକିରିର ସର୍ତାବଳୀ ଉଲଂଘନ ଅଟେ, ତେଣୁ ଆମ ମହାସଂଘ ସେମାନଙ୍କ ପାଇଁ ଏକ ପେନ୍‌ସନ୍‌ ପାଣ୍ଠି ଗଠନ କରିବାକୁ ଦାବି କରିଆସୁଛି କିନ୍ତୁ ସରକାର ଏକ୍ଷେତ୍ରରେ ସବୁଜାଣି ନିରବ ରହିଛନ୍ତି ଓ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ଅନ୍ୟ ଏକ ଦାବି ଥିବା ବେଳେ ଏଯାବତ କିଛି ପଦକ୍ଷେପ ନିଆଯାଇ ନାହିଁ । ଏଥି ସହିତ ବ୍ୟାଙ୍କକୁ କ୍ଷତିରୁ ବଞ୍ଚାଇବା ପାଇଁ ଅନ୍ୟାନ୍ୟ ଦାବି ମଧ୍ୟ ରହିଅଛି । ଏତଦ ବ୍ୟତୀତ ସରକାରଙ୍କ ସମସ୍ତ ସରକାରୀ ଯୋଜନା ସମବାୟ ବ୍ୟାଙ୍କ ତରଫରୁ କାର୍ଯ୍ୟ କରୁଥିଲେ ମଧ୍ୟ ସରକାରଙ୍କର କୌଣସି ବିଭାଗର ଟଙ୍କାଟିଏ ମଧ୍ୟ ସମବାୟ ବ୍ୟାଙ୍କରେ ଗଛିତ ରଖୁନାହାନ୍ତି । ଯାହା ଆନାନ୍ୟ ବ୍ୟାଙ୍କରେ ରଖୁଛନ୍ତି, ଏହା ଏକ ବିଡମ୍ବନାର ବିଷୟ ଅଟେ ।

ଉକ୍ତ ୫ ଗୋଟି ଦାବି ନେଇ ପ୍ରଥମେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତିଙ୍କ ନେତୃତ୍ୱରେ ସମସ୍ତ ସଭାପତି, ସମବାୟ ନିବନ୍ଧକ ଓ କର୍ମଚାରୀ ମହାସଂଘ ମଧ୍ୟରେ ଏକ ଆଲୋଚନା କରାଯାଇ ୧୫ ଦିନ ମଧ୍ୟରେ ଏକ କ୍ଷୁଦ୍ର କମିଟି ଗଠନ କରାଯାଇ ସେହି କମିଟିର ରିପୋର୍ଟ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଖିତ ପ୍ରସ୍ତାବ ପାଇବା ପରେ ମହାସଂଘ ତାର ଧର୍ମଘଟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୨କୁ ଘୁଞ୍ଚାଇ ଦେଇଥିଲା ।

ଦୁଃଖର ବିଷୟ ସରକାର ଆଲୋଚନା ମୁତାବକ ସମାଧାନର କୌଣସି ନିଷ୍ପତି ନେଇନାହାନ୍ତି । ତେଣୁ ରାଜ୍ୟର ୧୭ ଗୋଟି ସମବାୟ ବ୍ୟାଙ୍କର କର୍ମଚାରୀମାନେ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟରେ ଓହ୍ଲାଇଛନ୍ତି ।

ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସଂଘର ସଭାପତି ଗୋପାଳଜୀ ପାଣିଗ୍ରାହୀ ଓ ସମ୍ପାଦକ ଅମିତ କୁମାର ସାମନ୍ତରାଙ୍କ ନେତୃତ୍ୱରେ ଅନ୍ୟ ସମସ୍ତ କର୍ମଚାରୀ ଧାରଣାରେ ଉପସ୍ଥିତ ଥିଲେ ଏବଂ ବ୍ୟାଙ୍କର ସମସ୍ତ ଶାଖାରେ ମଧ୍ୟ କର୍ମଚାରୀମାନେ ଧାରଣାରେ ବସିଥିଲେ । ଦାବି ପୂରଣ ନହେଲେ ଆସନ୍ତା ନଭେମ୍ବର ୧୧ ତାରିଖରୁ ସମ୍ପୂର୍ଣ୍ଣ ରୂପେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିବେ ବୋଲି ସାଧାରଣ ସମ୍ପାଦକ ଅମିତ କୁମାର ସାମନ୍ତରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.