ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ରାମଚନ୍ଦ୍ର ଡାକୁଆ (୯୪) ଙ୍କ ସୋମବାର ସନ୍ଧ୍ୟାରେ ନିଜ ଜକିସାହି ବାସଭବନରେ ଦେହାନ୍ତ ହୋଇଯାଇଛି । ଏନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ଧରି ବୟସାନୁ ଭିର୍ତ୍ତିକ ବାର୍ଦ୍ଧକ୍ୟ ଜନିତ ଭାବେ ଶଯ୍ୟାଶାୟୀ ଥିଲେ । ବାଲିଗୁଡା ସହର ଜକିସାହି ନିବାସୀ ସ୍ୱର୍ଗତ ଡାକୁଆ ଅବସର ଗ୍ରହଣ ପରେ ଥକି ନଯାଇ ନିଜକୁ ବିଭିନ୍ନ ସାମାଜିକ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିବା ସହ ସେ ଏକ ପୂର୍ଣ୍ଣାନନ୍ଦ ଆଶ୍ରମ ପ୍ରତିଷ୍ଠା କରି ଅଞ୍ଚଳର ବିଭିନ୍ନ ପର୍ବପର୍ବାଣୀରେ ସାମିଲ ହୋଇ ଗାଁ ଗାଁରେ ସତସଙ୍ଗ ମାଧ୍ୟମରେ ଲୋକଙ୍କୁ ଯୋଡୁଥିଲେ । ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ପୁରୁଷୋତ୍ତମ ଡାକୁଆ (ବାବୁ) ଓ ଦୁଇ ଝିଅ, ଜ୍ୱାଇଁ, ନାତି ନାତୁଣୀ, ବନ୍ଧୁ ବାନ୍ଧବ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ । ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ମଧ୍ୟ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ଶ୍ମଶାନ ଘାଟରେ ସ୍ୱର୍ଗତ ଡାକୁଆଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।