କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ପାଳନ ସହ କେତେକ କୃଷି ଦାବୀକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଯୁକ୍ତ କିଷାନ ମୋର୍ଚ୍ଚାର ମୂଖ୍ୟତଃ ୩ କୃଷି ଆଇନକୁ ନେଇ ଆଜିକୁ ବର୍ଷେ ହେବ ଦିଲ୍ଲୀରେ ଲଢେଇ ଜାରି ରହିଛି । ଯାହା ସାରା ଭାରତ ବର୍ଷର କୋଣ ଅଣୁକୋଣରେ ଆନ୍ଦୋଳନର ରୂପ ନେଇଛି । ଫଳ ସ୍ୱରୁପ ବଲାଙ୍ଗିରରେ ମଧ୍ୟ ଜୟ କିଷାନ ଆନ୍ଦୋଳନ ସହିତ ଅନେକ କୃଷକ ସଂଗଠନ କିଷାନ ମୋର୍ଚ୍ଚା ଆନ୍ଦୋଳନରେ ସାମିଲ ହୋଇ ରାଜ ରାସ୍ତାକୁ ଓହ୍ଲାଇ ବିଭିନ୍ନ ସମୟରେ କୃଷକଙ୍କ ଦାବୀକୁ ରଖି ଆସୁଛନ୍ତି । ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ କିଷାନ ଆନ୍ଦୋଳନ, ଏଆଇକେକେଏମ୍‌ଏସ୍‌, କୃଷକ ସଂଘର୍ଷ ଅଧିକାର ମଂଚ ଓ କୃଷକ ସେନା ପକ୍ଷରୁ ଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ ପ୍ରଥମେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନରେ ୭୫୦ରୁ ଅଧିକ ଚାଷୀ ଶହୀଦ ହୋଇଥିବା ସହିତ ବିଭିନ୍ନ ରାଜ୍ୟରେ ଶହୀଦ ହୋଇଥିବା ଚାଷୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶହୀଦ ସ୍ତମ୍ଭରେ ପୂଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏହି ଧାରଣା ସ୍ଥଳର ସଭାକୁ ଜୟ କିଷାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋର ଅଧ୍ୟକ୍ଷତା କରି ୩ କୃଷି ବିଲ୍‌କୁ ନେଇ କେନ୍ଦ୍ର ସରକାର ଏକ ବର୍ଷ ପରେ ଅନ୍ନଦାତା ଆଗରେ କ୍ଷମା ମାଗିବାକୁ ବାଧ୍ୟ ହେବା ସହିତ ଆଇନ ପ୍ରତ୍ୟାହାର କରିବାକୁ ପ୍ରତିସୃତି ଦେଇଛନ୍ତି । କେନ୍ଦ୍ର ଆହୁରି କହିଛି କି ଏକ କମିଟି ଗଠନ କରାଯିବ ଏବଂ ତା’ର ପୁଣି ଆଲୋଚନା କରାଯାଇ ନିଷ୍ପତି ନିଆଯିବ; ଏହା ଦ୍ୱାରା ତାର ହୁସିଆର ପଣିଆ ପଦାରେ ପଡିଯିବ । କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟରେ ଫେରେଇ ନେବାର ଆଇନ ପାରିତ ନ ହୋଇଛି ସେତେ ଦିନ ସଂଗ୍ରାମ ଜାରି ରହିବା ସହିତ ଏମ୍‌ଏସ୍‌ପିର ଆଇନଗତ ବ୍ୟବସ୍ଥାକୁ ନେଇ ନିଜର ମତ ରଖିଥିଲେ । ବିଦ୍ୟୁତ ସଂଶୋଧନ ବିଲ ୨୦୨୧ ପ୍ରତ୍ୟାହାର, ଶହୀଦ ପରିବାରକୁ କ୍ଷତିପୂରଣ, କୃଷକ ଆନ୍ଦୋଳନରେ ହୋଇଥିବା ମାମଲାର ପ୍ରତ୍ୟାହାର ଲକ୍ଷ୍ମୀପୁର ଖେରୀ ଘଟଣାରେ ଅଭିଯୁକ୍ତ କେନ୍ଦ୍ର ସ୍ୱରାଜ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିସ୍କାର ସହିତ ଜିଲ୍ଲାର ସଂପୂର୍ଣ୍ଣ ମରୁଡି ଘୋଷାଣାକୁ ନେଇ ଉପସ୍ଥିତ କୃଷକ ନେତୃ ମଣ୍ଡଳୀରୁ ପ୍ରକାଶ ପାଇଥିଲା । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଜୟ କିଷାନ ଆନ୍ଦୋଳନର ଆବାହକ ମଣ୍ଡଳୀର ବାଳକୃଷ୍ଣ ଶାଣ୍ଢ, ବ୍ୟାସଦେବ ଥନାପତି, ସୌରି କୁମାର ସାହୁ, ଜଗନ୍ନାଥ ମାହାଣା ଏଆଇକେକେଏମ୍‌ଏସ୍‌ ସଭାପତି ଶୁନୀଲ ଭୋଇ, ବିକାଶ ଜେନା, ଟୁନା ମିଶ୍ର, ଆଇନଜ୍ଞ ଅନନ୍ତ ବିଶ୍ୱାଲ, ରାଜେଶ ବଗର୍ତ୍ତୀ, କପିଳ କୁମ୍ଭାର ପ୍ରମୁଖ ନିଜର ବକ୍ତବ୍ୟ ମାନ ରଖିଥିଲେ ।

Leave A Reply

Your email address will not be published.