
ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ସାମୂହିକ ପ୍ରଚେଷ୍ଟାରେ ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା – ଧର୍ମେନ୍ଦ୍ର ପ୍ରଧାନ

• ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
• ଆରଡ଼ିସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ‘ସ୍ୱଭାବ କବି ଗଙ୍ଗାଧର ମେହେର କକ୍ଷ’ରେ ନାମିତ
• କଣ୍ଟାପାଲିଠାରେ ବରଗଡ଼ ପାର୍ଶ୍ୱ ଏବଂ ପରଢିଆପାଲୀ ଝାରସୁଗୁଡ଼ା ପାର୍ଶ୍ୱ “ଐହିତ୍ୟ ସ୍ୱାଗତମ୍ ସମ୍ବଲପୁର ତ୍ୱରଣ”ର ଉଦଘାଟିତ
• ଦୁର୍ଗାପାଲି ଛକରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭାରମ୍ଭ ସହ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟ ପରିସରରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ପ୍ରଥମେ ସମ୍ବଲପୁରର କଣ୍ଟାପାଲି ଠାରେ ବରଗଡ଼ ପାର୍ଶ୍ୱ ଏବଂ ପରଢିଆପାଲୀ ଝାରସୁଗୁଡ଼ା ପାର୍ଶ୍ୱ “ଐହିତ୍ୟ ସ୍ୱାଗତମ୍ ସମ୍ବଲପୁର ତ୍ୱରଣ”ର ଉଦଘାଟନ କରିଥିଲେ । ସମ୍ବଲପୁର ଦୁର୍ଗାପାଲି ଛକରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଥିବା ଲୋକାର୍ପିତ ସ୍ୱାଗତ ତ୍ୱରଣ ସହରକୁ ଯାଉଥିବା ପଥଚାରୀଙ୍କ ଶୋଭାବର୍ଦ୍ଧନ କରିବ । ସମ୍ବଲପୁର ମହାନଗର ନିଗମକୁ ଅଧିକ ସୁନ୍ଦର କରିବାରେ ଏହି ପଦକ୍ଷେପ ପ୍ରଶଂସନୀୟ । ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା ପାଇଁ ସମସ୍ତେ ଉଦ୍ୟମ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ପ୍ରଧାନ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟକୁ ଯାଇ ସେଠାରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସମ୍ମିଳନୀ କକ୍ଷକୁ ‘ସ୍ୱଭାବ କବି ଗଙ୍ଗାଧର ମେହେର କକ୍ଷ’ରେ ନାମିତ ଏବଂ ଓଡ଼ିଶାର ବରପୁତ୍ରମାନଙ୍କର ପେନସିଲ୍ ଫଟୋଚିତ୍ର ଲୋକାର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ବୈଠକରେ କୁଦୋପାଲିରେ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା, କୋଣାର୍କରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ ଓ ବାଖ୍ୟାନ କେନ୍ଦ୍ର ଭଳି ବ୍ୟବସ୍ଥା କରିବା ତଥା ଏକ କଳା ମହାବିଦ୍ୟାଳୟ ସ୍ଥାପନ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଅଇଁଠାପାଲି ଠାରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରିଥିଲେ ।