ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗଙ୍କ ହତ୍ୟା ଘଟଣାର ଖୁଲାସା କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରର ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗ(୧୫)ଙ୍କ ହତ୍ୟା ଘଟଣାର ଖୁଲାସା କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ଘଟଣାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଏହି ଘଟଣାରେ ତିନି ଜଣ ଅଭିଯୁକ୍ତ ରହିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ରୋତ୍‌ ନିବାସୀ ମିଲନ୍‌ ରଣା ଓ ଜିତୁ ରଣାଙ୍କୁ ବଲାଙ୍ଗିର ଟାଉନ୍‌ ପୋଲିସ ଗିରଫ୍‌ କରିଥିବା ବେଳେ ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ସୂଚନାରେ କୁହାଯାଇଛି, ଗତ ୧୩ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ମିଲନ୍‌ ସହ ରୋତ୍‌ରୁ ଗୋଟିଏ ବାଇକ୍‌ରେ ଜିତୁ ଓ ଅନ୍ୟ ଅଭିଯୁକ୍ତ ମିଶି ତିନିଜଣ ଆସିଥିଲେ । ତୃତୀୟ ଅଭିଯୁକ୍ତ ଜଣକ ସେଣ୍ଟ୍ରାଲ୍‌ ସ୍କୁଲ ପାଖରେ ବାଇକ୍‌ରୁ ଓହ୍ଲାଇ ପଡ଼ିଥିବା ବେଳେ ଦୁଇ ଭାଇ ମିଲନ ଓ ଜିତୁ ଶେଷାଦ୍ରୀ ଘରେ ଏକାକୀ ଥିବା ବେଳେ ତାଙ୍କ ଘରକୁ ପହଂଚିଥିଲେ । ଜିତୁ ଘର ବାହାରେ ରହିଥିବା ବେଳେ ମିଲନ ଘର ଭିତରକୁ ପଶିଥିଲା ଏବଂ ଶେଷାଦ୍ରୀଙ୍କ ସହ ତାର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉକ୍ଷିପ୍ତ ହୋଇ ମିଲନ୍‌ ଶେଷାଦ୍ରୀଙ୍କୁ ଆକ୍ରମଣ କରିବାରୁ ବେହୋସ ହୋଇପଡ଼ିଥିଲେ ଶେଷାଦ୍ରୀ । ଘରୁ ବାହାରି ଆସୁଥିଲା ମିଲନ, କିନ୍ତୁ ସେତେବେଳେ ତା’ ହାତରେ ଲାଗିଥିଲା ଏକ କଟୁରୀ ଏବଂ କଟୁରୀ ନେଇ ଶେଷାଦ୍ରୀଙ୍କୁ ନୃଶଂସ ଭାବରେ ହତ୍ୟା କରିଥିଲା ମିଲନ୍‌ । ଶେଷାଦ୍ରୀ ଓ ମିଲନଙ୍କ ସଂପର୍କକୁ ନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏକ ବିବାହ ଉତ୍ସବରେ ୪ ବର୍ଷ ତଳେ ଶେଷାଦ୍ରୀ ଓ ମିଲନଙ୍କ ସାକ୍ଷାତ ହୋଇଥିଲା ଏବଂ ସେହିଦିନ ଠାରୁ ଦୁହିଁଙ୍କ ଭିତରେ ସଂପର୍କ ଗଢ଼ି ଉଠିଥିଲା । ତେବେ କିଛି ଦିନ ହେବ ଶେଷାଦ୍ରୀ ମିଲନଙ୍କ ସହ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରି ନଥିବାରୁ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ମିଲନ୍‌ ଘଟଣା ଦିନ ଶେଷାଦ୍ରୀଙ୍କୁ ଏକୁଟିଆ ଭେଟିବାକୁ ଆସିଥିଲା । ଦୁହିଁଙ୍କ ଭିତରେ ଯୁକ୍ତତର୍କ ହେବା ପରେ ହତ୍ୟାକାଣ୍ଡ ଭିଆଁଇଥିଲା ଅଭିଯୁକ୍ତ । ତେବେ ଶେଷାଦ୍ରୀଙ୍କ ମୃତ ଦେହ ପାଖରେ ରହିଥିବା ଟେଡ଼ିବିଅର୍‌ ସଂପର୍କରେ ସୂଚନା ଦେବାକୁ ଯାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଶେଷାଦ୍ରୀଙ୍କୁ ମିଲନ୍‌ ଏକ ଟେଡ଼ିବିଅର ଉପହାର ଦେଇଥିବା ବେଳେ ଘଟଣା ଦିନ ଶେଷାଦ୍ରୀ ସେହି ଟେଡ଼ିବିଅର୍‌ ମିଲନ୍‌କୁ ଫେରସ୍ତ କରିବାକୁ ଚାହିଁଥିଲେ ଓ ସେଥିପାଇଁ ତାଙ୍କ ମୃତ ଦେହ ପାଖରେ ଟେଡ଼ିବିଅର୍‌ ରହିଥିଲା । ତେବେ ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ତୋଫାନ୍‌ ବାଗଙ୍କ ସହ ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ମଧ୍ୟ ଉପସ୍ଥିତ ଥିଲେ । ଏସ୍‌ଡ଼ିପିଓ ଶ୍ରୀ ବାଗ କହିଛନ୍ତି ଯେ, ଏହି ମାମଲାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦେଶରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଘଟଣା ଘଟାଇ ଅଭିଯୁକ୍ତମାନେ ତ୍ରିପୁର୍‌ ଯିବା ବେଳେ ରାୟଗଡ଼ା ଜିଆର୍‌ପି ସହାୟତାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇ ପାରିଥିଲା । ଅନ୍ୟ ଜଣେ ଅଭଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଥିବା ଏସ୍‌ଡ଼ିପିଓ ଶ୍ରୀ ବାଗ କହିଛନ୍ତି ।

Leave A Reply

Your email address will not be published.