୩୬ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

  • ସାଂସ୍କୃତିକ କାର୍ଯ୍ୟକ୍ରମରେ ବିମୋହିତ ଦର୍ଶକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ୩୬ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ମହୋତ୍ସବ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ । କରୋନା ମହାମାରୀ ଯୋଗୁଁ ଗତ ୨ ବର୍ଷ ହେବ ଯାତ୍ରା ବନ୍ଦ ଥିଲା । ତେଣୁ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ଏହା ଆୟୋଜିତ ହେଉଛି । ବଙ୍ଗୋମୁଣ୍ଡା ପାଲଟିଛି ମଥୁରା ନଗରୀ । ହସ୍ତୀ ପିଠିରେ ଉଗ୍ରସେନ ମହାରାଜ ବସି ମୁକ୍ତାକାଶ ରଙ୍ଗମଂଚକୁ ପାତ୍ରମନ୍ତ୍ରୀ ସହ ପହଂଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଯାତ୍ରା ଉଦ୍‌ଘାଟିତ ହୋଇଥିଲା । କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦେବକୀ ବସୁଦେବ ବିବାହ, ଶୂନ୍ୟବାଣୀ, ମହାରାଜ ଉଗ୍ରସେନଙ୍କ ଗାଦିଚ୍ୟୁତ, ଦେବକୀ ବସୁଦେବ କାରାଗାରରେ ବନ୍ଦୀ, କଂସଙ୍କ ରାଜ୍ୟାଭିଷେକ, ଦେବକୀଙ୍କ ଷଡଯନ୍ତ୍ର ନିଧନ ନାଟ୍ୟାଭିନୟ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବର ରାଜକୀୟ ଅତିଥି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ବଙ୍ଗୋମୁଣ୍ଡା ୨୦ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଓମ୍ କୁମ୍ଭାର, ବଙ୍ଗୋମୁଣ୍ଡା ସରପଂଚ ଅଜିତ କୁମାର ଯୋଶୀ, ବ୍ରହ୍ମପୁର ସ୍ଥିତ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାର ପ୍ରତିଷ୍ଠାତା ପୂଜ୍ୟ ଗୁରୁଦେବ ଟି.କ୍ରିଷ୍ଣା ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଂପ୍ରତ୍ତି ସମାଜରେ ନିଜ ସ୍ୱାର୍ଥରେ ପଥଭ୍ରଷ୍ଟ ଯୁବସମାଜ ତଥା ସମାଜରେ କୁପଥଗାମୀ ବ୍ୟକ୍ତି ଏହି ଧନୁଯାତ୍ରାରୁ ନିଶ୍ଚୟ ଶିକ୍ଷା ଗ୍ରହଣ କରିପାରିବେ । ଏହି ଧନୁଯାତ୍ରା ଏକ ସାଂସ୍କୃତିକ ଆନ୍ଦୋଳନ, ସଂସ୍କୃତି ଓ କଳାର ଏକ ମଞ୍ଚ ସହିତ ସାଂସ୍କୃତିକ ଅଭିବୃଦ୍ଧି ଆଗାମୀ ଦିନରେ ଅଞ୍ଚଳ ପାଇଁ ଏକ ଶୁଭଙ୍କର ହେବ ବୋଲି ଅତିଥି ଗଣ ମତବ୍ୟକ୍ତ କରିବା ସହ ଏହି ଧନୁଯାତ୍ରା ମହୋତ୍ସବ ଆଗାମୀ ପିଢିକୁ ଏକ ନୂତନ ଦିଗଦର୍ଶନ ଦେଉ, ଅଂଚଳରେ ହଜାର ହଜାର ସଂଖ୍ୟାରେ ବେଆଇନ ଭାବେ ବାହାର ରାଜ୍ୟକୁ ଦାଦନ ଚାଲାଣ ହେଉଛି, କିପରି ଭାବେ ରୋକାଯାଇ ପାରିବ ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ, ଅଂଚଳର ଶିଳ୍ପଟିଏ ନ ଥିବାରୁ ଯୁବକମାନେ ରୋଜଗାର କରିବାରେ ବିଫଳ ହେଉଥିବା ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିକାଶ ରଞ୍ଜନ ପନିକା ଉଦଘୋଷକ ଭାବେ ଦାୟିତ୍ୱ ନେଇଥିଲେ । ଅତିଥିମାନଙ୍କ ମନୋରଞ୍ଜନ ପାଇଁ ନୃତ୍ୟ ସାଧନା ଡ୍ୟାନସ୍‌ ଏକାଡେମୀ ଭୁବନେଶ୍ୱର, ମହାକାଲ ଡ୍ୟାନସ୍‌ ଗୃପ ବଙ୍ଗୋମୁଣ୍ଡା, ସତନାମ ଡ୍ୟାନସ୍‌ ଗୃପ ବଙ୍ଗୋମୁଣ୍ଡା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ଅବସରରେ ଲୋକଶକ୍ତି ଅନୁଷ୍ଠାନ ପକ୍ଷରୁ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଉଦ୍‌ଘାଟିତ ହୋଇଛି । ମାଣ୍ଡିଆ, ଗୁର୍ଜି ଆଦି ଖାଦ୍ୟ ଶସ୍ୟରେ ପ୍ରସ୍ତୁତ ସାମଗ୍ରୀ ବିତରଣ ସହ ବିକ୍ରି କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲେ । ଆସନ୍ତା ନଭେମ୍ବର ୮ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.