ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧନୁଯାତ୍ରା ପଡ଼ିଆଠାରେ ଆସନ୍ତାକାଲି ଗୁରୁବାର ଦିନଠାରୁ ଆରମ୍ଭ ହେବାକୁ ଥିବା ପଞ୍ଚମ ବର୍ଷ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ବୁଧବାର ସ୍ଥାନୀୟ ଧନୁଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ଵ ବିହାରୀ ଯୋଶୀ,ସହ ସମ୍ପାଦକ ଭରତ ଦାସ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ଦୀପ, ରମେଶ କୁମାର ନାଗ, ନେପାଳ ସାହୁ, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ ଓ ଉପଦେଷ୍ଟା ଗଙ୍ଗାଧର ହେର୍ଣ୍ଣା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଦୀର୍ଘ ୬ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ସଦର ମହକୁମା ମଥୁରା ନଗରୀ ଓ ନିକଟସ୍ଥ ବନବାହାଲ ଗ୍ରାମ ଗୋପପୁର ରୂପେ ପରିଗଣିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ମହାରାଜ କଂସଙ୍କ ରାଜଦରବାର, ବିଭିନ୍ନ ଅଞ୍ଚଳର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା, କବିତା ପାଠୋତ୍ସବ ଓ ଜିଲ୍ଲା ତଥା ଜିଲ୍ଲା ବାହାରରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଥିଲା । ଲୋକେ ସୁବିଧାରେ ଧନୁଯାତ୍ରା ମହୋତ୍ସବ ଦେଖିବା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଏହି ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ପ୍ରତିଦିନର ଘଟଣାଗୁଡ଼ିକୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲା । ଏହି ସାମ୍ୱାଦିକ ସମ୍ମିଳନୀରେ ମୁରିବାହାଲ ସମେତ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!