
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଉପବଜାର ପ୍ରାଙ୍ଗଣରେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୨୪-୨୫ ରବିଋତୁ ପାଇଁ ଧାନମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଟିଟିଲାଗଡ଼ ଏଆରସିଏସ୍ ସନ୍ତୋଷ କୁମାର ମଲ୍ଲିକ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଏସିଏସଓ ଶଙ୍କର୍ଷଣ ଭୋଇ, ଏସଏଆରସିଏସ୍ କ୍ଷମା ମାଝୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ରବିଋତୁ ପାଇଁ ମୁରିବାହାଲ ବ୍ଲକରେ ମୋଟ ୨୫୩୦ କ୍ଵିଣ୍ଟାଲ ଧାନକ୍ରୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ମୁରିବାହାଲ ମଣ୍ଡିରେ ୯୮୩ କ୍ଵିଣ୍ଟାଲ ଓ ହଳଦୀ ମଣ୍ଡିରେ ୧୫୪୭କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁରିବାହାଲ ମଣ୍ଡିରେ ମୁରିବାହାଲ, ପତ୍ରାପାଲି ଓ ଗୋଇମୁଣ୍ଡ ପେକ୍ସର ୬୫ଜଣ ଚାଷୀ ଓ ହଳଦୀ ମଣ୍ଡିରେ ଶହେ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡିଛି । କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନୀଳମାଧବ ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ପେକ୍ସ ସଭାପତି ମୀନକେତନ ପାତ୍ର, ମୁରିବାହାଲ ଯୋଗାଣ ନିରୀକ୍ଷକ ଅବିନାଶ ବିଶି, ତୁରେକେଲା ଯୋଗାଣ ନିରୀକ୍ଷକ ସନାତନ ମାଝୀ, ମୁରିବାହାଲ ପେକ୍ସ୍ ସମ୍ପାଦକ ରମାରଞ୍ଜନ ବଘାର, ପତ୍ରାପାଲି ପେକ୍ସ ସମ୍ପାଦକ ସତ୍ୟନାରାୟଣ ନାଗ ଓ ଗୋଇମୁଣ୍ଡ ପେକ୍ସ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ସହ ମାତ୍ର କେତେଜଣ ଧାନଚାଷୀ ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଉପସ୍ଥିତ ପଙ୍ଗନିଆ ଗାଁର ଅଗ୍ରଣୀ ଚାଷୀ ସତ୍ୟବାନ ନାଗଙ୍କ ସହ ଅନ୍ୟ ଚାଷୀମାନେ ମଣ୍ଡି ଉଦଘାଟନ କରି ନେତା, ଅଫିସର ଚାଲି ଯାଉଥିବା ବେଳେ ଗତ ଖରିଫରେ ହୋଇଥିବା ବ୍ୟାପକ କଟନୀଛଟନୀ ଭଳି ରବିରେ ପୁଣି ହେବା ଆଶଙ୍କା ତଥା ଚାଷୀର ବସ୍ତା, ପରିବହନ ଖର୍ଚ୍ଚ ଆଦି ସମସ୍ୟା ଶୁଣିବାକୁ ତାଙ୍କ ପାଖରେ ସମୟ ନ ଥିବା ଗୁରୁତର ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା ।