- ବ୍ୟପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି ଧାନ କିଣା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ ଭାବେ ବ୍ୟପାରୀ, ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି । ପ୍ରସାଶନର ଅପାରଗପଣିଆ ଯୋଗୁଁ ମଣ୍ଡି ବ୍ୟବସ୍ଥା ପ୍ରହସନରେ ପରିଣତ ହେଇଥିବା ଅଭିଯୋଗ ହୋଇଛି । ଧାନ କିଣା ନଭେମ୍ବର ୨୦ ତାରିଖରୁ ଖୋଲାଯାଇ ଧାନ କିଣା ଆରମ୍ଭ ହୋଇଯାଇଛି । ମାତ୍ର ପରିସ୍ଥିତି ଦେଖିଲେ ଧାନ କିଣା ପ୍ରକ୍ରିୟା ପ୍ରସାଶନ ଦ୍ୱାରା ନୁହେଁ ବରଂ ବ୍ୟପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଥିବା ଜଣାପଡୁଛି । ଧାନ କ୍ରୟ ନୀତି ଅନୁସାରେ ଚାଷୀ ମଣ୍ଡିକୁ ଧାନ ଆଣି ଗାଡିରୁ ଓହ୍ଲାଇବା ପରେ ଆର.ଏମ୍.ସି ଏହାର ମାନ ଯାଞ୍ଚ କରିବ । ଧାନ ଯଦି ଏଫ.ଏ.କ୍ୟୁ ମାନର ବାହାରିବ କ୍ରୟ ଦାୟିତ୍ୱରେ ଥିବା ସଂସ୍ଥା ଧାନ କିଣିବ ନହେଲେ ଧାନକୁ ଚାଷୀ ଫେରାଇନେବ । ମାତ୍ର ଡଭା ସେବା ସମବାୟ ଅଧୀନରେ ଥିବା ଛୋଟ ଅନକି ପଞ୍ଚାୟତ ର ଛୋଟଅନକି ମଣ୍ଡିରେ ଏହି ନିୟମ ଲାଗୁ ହେଉନାହିଁ । ଏଠାରେ ବ୍ୟପାରୀ ଏବଂ ମିଲ ଏଜେଣ୍ଟର ନିୟମ ଅନୁଯାୟୀ ଧାନ କିଣା ହେଉଛି । ମଣ୍ଡିକୁ ଧାନ ଆସିଲେ ଏହାର ମାନ ଯାଞ୍ଚ ହେଉନାହିଁ ବ୍ୟପାରୀ ଏବଂ ମିଲ୍ର ଏଜେଣ୍ଟ ସାଜିଥିବା ଚାଷୀ ସହିତ ମୁଲଚାଲ କରି ଧାନକୁ ସିଧା ସଳଖ ମିଲକୁ ପଠାଇ ଦେଉଛନ୍ତି । ଏଠାରେ ସେମାନଙ୍କ ମୋହରା ସାଜିଛନ୍ତି କ୍ରୟ ସଂସ୍ଥା । ଏହି ବେଆଇନ କାମକୁ ବିରୋଧ କରିବା ପରିବର୍ତ୍ତେ ଏହାକୁ ଖୋଲାଖୋଲି ସମର୍ଥନ କରି ବ୍ୟପାରୀ ଚୟନ କରିଥିବା ଧାନକୁ ନିଜ ଖାତାରେ ଏଣ୍ଟ୍ରି କରି ଧାନକୁ କିଣି ମିଲ୍କୁ ପଠାଇ ଦେଉଛନ୍ତି । ସବୁଠାରୁ କୌତୁହଲର ବିଷୟ ହେଲା ଯେଉଁ ଧାନକୁ ଚାଷୀ ଆଣିଲେ ଏଫ୍ଏକ୍ୟୁ ମାନର ହେଉନାହିଁ ସେହି ଧାନକୁ ବ୍ୟପାରୀ, ମିଲ ଏଜେଣ୍ଟ କିଣିଲେ ସେହି ମଣ୍ଡିରେ ହିଁ ସଙ୍ଗେ ସଙ୍ଗେ ଏଫ୍ଏକ୍ୟୁ ମାନର ହୋଇଯାଉଛି । ସେହି ଧାନକୁ କ୍ରୟ ସଂସ୍ଥା କିଣି ନେଉଛି । ଏହା ବ୍ୟତୀତ ମଣ୍ଡିକୁ ଧାନ ଆଣିବା ପାଇଁ ଶେଷ ସମୟ ଦିନ ୧୨ଟା ପର୍ଯ୍ୟନ୍ତ ରଖଯାଇଥିବା ବେଳେ ଗାଡି ଗୁଡିକୁ ମନଇଚ୍ଛା ଭାବେ ମଣ୍ଡିରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ଏତେ ସବୁ ଅନିୟମିତତା ଭିତରେ ଧାନ କିଣା ଚାଲୁଥିବା ବେଳେ ପ୍ରସାଶନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ପ୍ରସାଶନର ଏହି ଅପାରଗପଣିଆ ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ମଣ୍ଡିରେ ହିଁ ବ୍ୟପାରୀ ଏବଂ ମିଲ ଏଜେଣ୍ଟ ଚାଷୀ ସହିତ ମୁଲଚାଲ କରି କୁଇଣ୍ଟାଲ ପ୍ରତି ୫କେଜିରୁ ଅଧିକ କଟନି ଛଟନି କରୁଛନ୍ତି । ମଣ୍ଡିରେ ମିଲର ଓ ଏଜେଣ୍ଟର କିଛି କାମ ନାହିଁ ଧାନର ମାନ ଆର୍ଏମ୍ସି ଯାଞ୍ଚ କରିବ ଏବଂ ଧାନକୁ କ୍ରୟ ସଂସ୍ଥା କିଣିବ ତଥାପି ମିଲର ଏଜେଣ୍ଟ ବେପାରୀକୁ ମଣ୍ଡିରେ ପ୍ରବେଶ ପାଇଁ କାହିଁକି ଅନୁମତି ଦିଆଯାଉଛି ତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଧାନ କିଣାକୁ ସୁବ୍ୟବସ୍ଥିତ କରି ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ଦାବି ହେଉଛି । ନିକଟରେ ଛୋଟ ଅନକି ମଣ୍ଡିରେ ଚାଷୀ ଏବଂ ମିଲ ଏଜେଣ୍ଟଙ୍କ ମଧ୍ୟ୍ୟରେ କଟନି ଛଟନିକୁ ନେଇ ତୁ ତୁ ମେ ମେ ହୋଇଥିଲା ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବେ କି ? ତାହା ଚାଷୀ ମହଲରେ ଚର୍ଚ୍ଚା ବିଶୟ ପାଲଟିଛି ।