- ଚାଷୀଙ୍କ ଟୋକନ ଆସିନି, ଆଶଙ୍କାରେ ଧାନ ବିକ୍ରି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଥିବା ସମସ୍ତ ୧୧ଟି ଖରିଫ ଧାନମଣ୍ଡି ସୋମବାର ଉଦ୍ଘାଟିତ ହୋଇଯାଇଛି । ମୁରିବାହାଲ ବ୍ଲକର ମୁରିବାହାଲ, ହଳଦୀ, ଗୁଡିଘାଟ, ଇଛାପଡା, ବଡସାଇମରା, ପତ୍ରାପାଲି, ଗୋଇମୁଣ୍ଡ, ବାଙ୍କେଲ, ଲେବଡା, ମାଲିଶିରା ଓ ତେନ୍ତୁଳିଖୁଣ୍ଟି ଖରିଫ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ପୃକ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡ଼ିକର ସଭାପତି, ସିଇଓ, ଡିଇଓଙ୍କ ସହ ସମସ୍ତ ସଦସ୍ୟ, କର୍ମଚାରୀ ଓ ପଞ୍ଜୀକୃତ ଚାଷୀମାନେ ଉପସ୍ଥିତ ଥିଲେ । ହଳଦୀରେ ସୋମବାର ଖରିଫ ଫସଲ ପାଇଁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ହଳଦୀ ପଞ୍ଚାୟତ ସରପଞ୍ଚ ସୌମିନା ସେଠ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣ୍ଡି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ହଳଦୀ ପ୍ରାଥମିକ ସେବା ସମବାୟ ସମିତି ସଭାପତି ହଳଧର ମହାକୁର, ସିଇଓ ବିକାଶ ଆଡଯୁଆଡ, ଡିଇଓ ରାଧାକାନ୍ତ ବାଗଙ୍କ ସହ ପେକ୍ସ କର୍ମଚାରୀ ବିଶ୍ୱରାମ ବାଗ, ଜଗଦୀଶ ସିଂ ଭୋଇ, ମୁରିବାହାଲ ବ୍ଲକ କୃଷକ ସଂଗଠନର ଉପ ସଭାପତି ତୀର୍ଥ ହାତୀ, ପଞ୍ଜୀକୃତ ଚାଷୀ କ୍ଷିରସିନ୍ଧୁ ପାତ୍ର, ରୋହିତ ବାଗ ଓ ସମାଜସେବୀ ବୈଷ୍ଣବ ଜାନୀଙ୍କ ଉପସ୍ଥିତିରେ ଚଳିତ ବର୍ଷର ଖରିଫ ଧାନମଣ୍ଡି ଉଦ୍ଘାଟନ କରାଯାଇଥିଲା । ପ୍ରତ୍ୟେକ ଚାଷୀ ନିଜ ଧାନ କେମିତି ସଠିକ ସମୟରେ ଓ ସଠିକ ମୁଲ୍ୟରେ ମଣ୍ଡିରେ ବିକ୍ରୟ କରି ପାରିବେ ସେଥିପାଇଁ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ଡିସେମ୍ବର ୨ରୁ ଧାନ ମଣ୍ଡି ଖୋଲିବାର ସୁବ୍ୟବସ୍ଥା କରିଛନ୍ତି । ମଣ୍ଡିଗୁଡିକ ଉଦ୍ଘାଟନ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଚାଷୀଙ୍କ ଟୋକନ ଆସି ନଥିବା ବେଳେ କେଉଁ ମିଲର୍ସ କେଉଁ ମଣ୍ଡିରୁ ଧାନ ସଂଗ୍ରହ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇ ନଥିବାରୁ ମୁରିବାହାଲ ବ୍ଲକ ଅଞ୍ଚଳର ଚାଷୀ ଧାନ ବିକ୍ରି କରିପାରିବା ନେଇ ଆଶା ଆଶଙ୍କା ଓ ଦ୍ୱନ୍ଦରେ ଅଛନ୍ତି ।