- ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ଏଫ୍ସିଆଇ – ନରସିଂହ
- ସିସି ଟିଭିରେ କଏଦ ହେଉ ଧାନ କିଣା ପ୍ରକ୍ରିୟା – ସରୋଜ
ବଲାଙ୍ଗିର, (ଦେବଶିଷ ମିଶ୍ର) : ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଖରିଫ ଧାନକିଣା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖରିଫ ଋତୁ ପାଇଁ ଆସନ୍ତା ୨୯ ନଭେମ୍ବରରୁ ଜିଲ୍ଲା ତମାମ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବା ନେଇ ସର୍ବ ସମ୍ମତି ପ୍ରକାଶ ପାଇଛି । ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ସରୋଜ ମେହେର, ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଲୋଇସିଂହା, ଟିଟିଲାଗଡ ବିଧାୟକଙ୍କ ପ୍ରତିନିଧି, ସଇଂସଦ ପ୍ରତିନିଧି, ପାଟଣାଗଡ ଓ ଟିଟିଲାଗଡ ଉପଜିଲ୍ଲାପାଳ ସମେତ । ଯୋଗାଣ, କୃଷି, ସମବାୟ, ଏଫ୍ସିଆଇ, ଚାଷୀ ପ୍ରତିନିଧି, ମିଲ ମାଲିକମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରୁ, ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଗତ ୩ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଚାଷୀଙ୍କ ଠୁ ଆଉ ଧାନ କିଣୁ ନଥିବା ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଣୁ ଏଫ୍ସିଆଇ ଅଧିକାରୀ ନିଶ୍ଚିତ ଭାବରେ ଅଦାଲତ ଅବମାନନା ଅଭିଯୋଗର ସମ୍ମୁଖୀନ ହେବେ ବୋଲି ଶ୍ରୀ ମିଶ୍ର କହିଥିଲେ ସେ ଆହୁରି କହିଥିଲେ ଯେ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଧାନ କିଣା କେଉଁମାନେ କିଣିବେ । ଧାନକିଣାରେ ମିଲର୍ସଙ୍କ ଭୂମିକା, ଧାନିକିଣା ଜାଗାରେ ଚାଷୀ ସମ୍ମୁଖିନ ହେଉଥିବା ଅଭାବ ଅସୁବିଧା ସମାଧାନ ପାଇଁ ଆଜି ନିଷ୍ପତ୍ତି ନିଆଯିବ । ମାତ୍ର ଦୁଃଖର ବିଷୟ ଯୋଗାଣ ଅଧିକାରୀଙ୍କ ବିବରଣୀ କହୁଛି ଯେ, ଧାନକିଣାକୁ ନେଇ ଅନେକ କିଛି ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି । ତେଣୁ ଏହା ଏହି ବୈଠକରେ ଉପସ୍ଥିତ ଲୋକ ପ୍ରତିନିଧି ଓ ସଦସ୍ୟମାନେ କଣ ରବର ଷ୍ଟାମ୍ପ ବୋଲି ସେ ପ୍ରଶ୍ନ କରିବା ସହ ଏହି ଘଟଣାକୁ ମୁଁ ବିରୋଧ କରୁଛି ବୋଲି ସ୍ପଷ୍ଟ ଭାବେ ଲିପିବଦ୍ଧ କରାଯାଉ ବୋଲି କହିଥିଲେ । ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେର କହିଥିଲେ ଯେ, ଧାନ କିଣା ସମୟରେ ମିଲର୍ସମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ପ୍ୟାକ୍ସମାନଙ୍କରେ ଧାନ ସଂଗ୍ରହ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଚାଷୀମାନଙ୍କ ଧାନ ଚୋରି ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ତେଣୁ ଧାନକିଣା ପ୍ରକ୍ରିୟା ଶତ ପ୍ରତିଶତ ସିସି ଟିଭି ଦ୍ୱାରା ରେକର୍ଡ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଧାୟକ ପ୍ରତିନିଧିମାନେ କଟନି ଛଟନି, ଧାନର ମାନ, ସଂଗ୍ରହର ବ୍ୟବସ୍ଥା, ଚାଷୀଙ୍କ ପାଇଁ ସୁବିଧା, ଧାନବସ୍ତାକୁ ନେଇଥିବା ସମସ୍ୟା ଉପରେ ପ୍ରଶାସନ ଠିକ୍ ହିସାବରେ ଚାଷୀଙ୍କ ହିତରେ କାମ କରୁ ବୋଲି ମତ ରଖିଥିଲେ । ଉପସ୍ଥିତ ସିଏସଓ ଓ ଏଆରସିଏସ୍ ଉକ୍ତ ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରଶାସନ ତରଫରୁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ସବେଶେଷ ବିବରଣୀ ପ୍ରଦାନ କରିଥିଲେ । ପରେ ପରେ ଆଗାମୀ ୨୯ ତାରିଖରୁ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ଘୋଷଣା କରିଥିଲେ । ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।