- ବର୍ତ୍ତମାନ ୫ ଜିଲ୍ଲାରେ ଧାନ କିଣା, ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାରେ ଆରମ୍ଭ ହେବ ଧାନ ସଂଗ୍ରହ
ଭୁବନେଶ୍ୱର, (କେପିଏନ୍ଏସ୍) : ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ପ୍ରର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାରେ ଏହି ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦ୍ବ୍ୟତୀତ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ୫ଟି ଜିଲ୍ଲାର ୮୦୩ଟି ମଣ୍ଡିରେ ଧାନ କିଣା ଚାଲିଥିବା ବେଳେ ସେଥି ମଧ୍ୟରୁ ବରଗଡ଼ ଜିଲାରେ ୧୯୭ଟି ମଣ୍ଡି, ନୂଆପଡାର ୭୮, ସମ୍ବଲପୁର ୧୨୯, କଳାହାଣ୍ଡି ୨୨୩ ଓ ବଲାଙ୍ଗିର ଜିଲ୍ଲାରେ ୧୭୬ଟି ମଣ୍ଡି ରହିଛି । ପ୍ରତ୍ୟେକ ମଣ୍ଡିରେ ନିଯୁକ୍ତ ନୋଡାଲ ଅଧିକାରୀ ଧାନ କିଣା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି । ଏଥି ସହ ଚାଷୀମାନଙ୍କ ନିମନ୍ତେ ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯାଉଛି । ସେମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ଆସିବ ଏହାକୁ ଗୁରୁତର ଭାବେ ସରକାର ନେଇଥିବାରୁ ସମ୍ପୃକ୍ତ ଅଧିକାରୀମାନେ ଦିନରାତି ସେମାନଙ୍କ କାର୍ଯ୍ୟ ତୁଲାଉଛନ୍ତି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତ୍ୱ ଭାବେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।