centurian jitm

ଗାଈବାହାଲ ଧାନ କିଣା ମଣ୍ଡି ଶୁଭାରମ୍ଭ କଲେ ନରସିଂହ

nschool
  • ସବୁ ମଣ୍ଡିରେ ଏଫ୍‌ଏକ୍ୟୁ ଯନ୍ତ୍ର ନିହାତି ଜରୁରୀ – ନରସିଂହ
  • ଗତ ବର୍ଷ ଧାନକିଣା କମିଶନ ଶୀଘ୍ର ପ୍ରଦାନ କରୁ ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହାଲ ପଂଚାୟତର ଗାଇବାହାଲ ଠାରେ ସ୍ଥାନୀୟ ସାବିତ୍ରୀ ବାଇ ଫୁଲେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଧାନକିଣା କେନ୍ଦ୍ରର ଶୁଭାରମ୍ଭ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଯଦି ସରକାର ୨ ତାରିଖରୁ ସବୁ ଆଡେ ଧାନକିଣା ଆରମ୍ଭ ହେବାର ଘୋଷଣା କରିଥିଲେ କିନ୍ତୁ କେବଳ ଔପଚାରିକ ଭାବେ ସମସ୍ତ ଧାନକିଣା କେନ୍ଦ୍ର ଗୁଡିକର ଶୁଭାରମ୍ଭ ହୋଇଛି । ଏ ଅବସରରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଛନ୍ତି ଯେ, ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ଧାନ କିଣା କେନ୍ଦ୍ରରେ ଏଫ୍‌ଏକ୍ୟୁ ମେସିନ ରହିବା ଜରୁରୀ କାରଣ ଅଣ ଏଫ୍‌ଏକ୍ୟୁକୁ ଏହି ମେସିନ ସାହାଯ୍ୟରେ ଏଫ୍‌ଏକ୍ୟୁ କରିସାରିବା ପରେ ମଣ୍ଡିରେ ଧାନକିଣା ହେବ ଏବଂ ଚାଷୀ ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ । ତେଣୁ ଉପସ୍ଥିତ ଥିବା ଧାନକିଣା ସମ୍ବନ୍ଧୀୟ ଅଧିକାରୀମାନେ ପ୍ରଥମେ ଧାନ କିଣିବା ପାଇଁ ଦରକାର ହେଉଥିବା ପ୍ରତ୍ୟେକ ମେସିନ ଯେପରି ଧାନ କିଣା କେନ୍ଦ୍ରରେ ରହିବ ତାହା ସୁନିଶ୍ଚିତ କରନ୍ତୁ । ୨ ତାରିଖ ଧାନ କିଣିବା ପାଇଁ ଘୋଷଣା ହୋଇଥିଲେ ହେଁ ବିଡମ୍ବନାର ବିଷୟ ଯେ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଟୋକନ ପ୍ରଦାନ କରାଯାଇନାହିଁ । ଏପରି କି ଧାନ ଉଠାଇବାକୁ ଥିବା ମିଲର୍ସମାନଙ୍କୁ ମଧ୍ୟ ଟାର୍ଗେଟ ଦିଆଯାଇନଥିବା ସୂଚନା ରହିଛି । ତେଣୁ ନିଶ୍ଚିତ ଭାବରେ ସରକାରଙ୍କୁ ଅନୁରୋଧ କରିବି ସରକାର ଯଦି ପ୍ରକୃତରେ ଚାଷୀଙ୍କ ହିତ ଚାହୁଁଛନ୍ତି ତେବେ ଆନ୍ତରିକତାର ସହ ସଠିକ ଧାନକିଣା ପ୍ରକ୍ରିୟା ଜାରି ରଖିବାକୁ ଦରକାର ହେଉଥିବା ସମସ୍ତ ବ୍ୟବସ୍ଥାକୁ ପ୍ରଥମେ ସୁନିଶ୍ଚିତ କରନ୍ତୁ । ତାହା ହେଲେ ହିଁ ଚାଷୀ ପାଇଁ ଘୋଷଣା ହୋଇଥିବା ସର୍ବନିମ୍ନ ସହାୟକ ମୁଲ୍ୟ ଏବଂ ବୋନସ ରାଶି ଚାଷୀମାନେ ଠିକ୍‌ ଠିକ୍‌ ପାଇପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଧାନକିଣା କେନ୍ଦ୍ରରେ ଗତ ବର୍ଷର ଧାନକିଣା କମିଶନ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ ବୋଲି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଭିଯୋଗ ରଖିଥିଲେ । ଏହି କେନ୍ଦ୍ରରେ ଅର୍ଡା, ରାଏପାଲି, ଝୁଲ୍ଲାକାନି, ରତନପୁର, ଗଡଦ୍ୱାର ଓ ଗାଇବାହାଲ ଗାଁର ସମସ୍ତ ପଂଞ୍ଜୀକୃତ ଚାଷୀ ନିଜ ନିଜର ଧାନ ବିକ୍ରି କରିବାର ବ୍ୟବସ୍ଥା ହୋଇଛି । ଏହି ଶୁଭାରମ୍ଭ ସମୟରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ବିଭାଗିୟ ଅଧିକାରୀ ଉପେନ୍ଦ୍ର ସ୍ୱାଇଁ, ସୁଜାତା ମଲ୍ଲିକ, ସସ୍ମିତା ବାଗ, ପଦ୍ମିନୀ ମେହେର, ବିଣା ପ୍ରଧାନ, ସମିତି ସଭ୍ୟ ସଂଯୁକ୍ତ ସେଠ, ସରପଂଚ ତ୍ରିଲୋଚନ ନାଗ, ସାଂସଦ ପ୍ରତିନିଧି ଡଃ. ଶଶିଭୂଷଣ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି, ଅସିତ ମିଶ୍ର, କାନ୍ତେଶ୍ୱର ପ୍ରଧାନ, ଭିକାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!