ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୧ ମୃତ, ୨ ଗୁରୁତର

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଛକରୁ ଜୟପାଟଣାକୁ ସଂଯୋଗ କରୁଥିବା ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ, ବୁଧବାର ରାତିରେ ଦୁଲକିବନ୍ଧ ଗ୍ରାମର ତିଲ ରାଉତ ନାମକ ଜଣେ ବ୍ୟକ୍ତି ତାଙ୍କର ୪ ବର୍ଷର ପୁଅ ସିଦ୍ଧୁଙ୍କ ଚିକିତ୍ସା କରି ଜୟପାଟଣାରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଯୋଗେ ଆସୁଥିବା ପିଙ୍କୁ ଶବରଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ୩ ବାଇକ୍ ଆରୋହୀ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ତିଲ ରାଉତଙ୍କ ମୃତ୍ୟୁ ହୋଇଥିବା ବେଳେ ସିଦ୍ଧୁ ଏବଂ ପିଙ୍କୁ ଶବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.