ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଆହାତ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଥାନା କମଳପୁର ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୩ଟାରେ ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ୨ ଜଣଙ୍କ ମୃତ୍ୟୁ ‌ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ପୋଲିସ ଏକ ବୋଲେରୋ ଭଡ଼ା ନେଇ କଟକକୁ ଏକ ୱାରେଣ୍ଟିର ସନ୍ଧାନରେ ଯାଇ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାର୍ବଲ ପଥର ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବୋଲେରୋ ଡ଼୍ରାଇଭର ବାଉଁଶୁଣୀ ଗଡ ଭିତର ଗ୍ରାମର ପ୍ରଶାନ୍ତ ରଣା ଓ ଗାଡ଼ିରେ ବସିଥିବା ବାଉଁଶୁଣୀ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଥାନା ଏଏସଆଇ ନାଗାରାଜ ପ୍ରଧାନ, ସୁଶାନ୍ତ ସାହୁ ଓ ଉଦୟନାଥ ଜାନୀ ଗୁରୁତର ଆହତ ହୋଇଛନ୍ତି । ଉଭୟ ଗୁରୁତର ଓ ମୃତ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ନାଗାରାଜ ପ୍ରଧାନ ଓ ସୁଶାନ୍ତ ସାହୁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଥିଲା ଓ ଉଦୟନାଥ ଜାନୀ ସୁସ୍ଥ ଥିବା ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣୀ ଥାନା ଅଧିକାରୀ ଅରୁଣ ସିଂଙ୍କ ସମେତ ସମସ୍ତ କର୍ମଚାରୀ, ବାଉଁଶୁଣୀ ଡ଼୍ରାଇଭର ମହାସଂଘର ସମସ୍ତ କର୍ମକର୍ତ୍ତା ପହଞ୍ଚି ସମସ୍ତ ଗୁରୁତର ଓ ମୃତ ଯୁବକଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ । ଉଭୟଙ୍କ ମୃତ୍ୟୁର ଖବର ଶୁଣି ବାଉଁଶୁଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

error: Content is protected !!