ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୧ ମୃତ

ଭଣ୍ଡାରିପୋଖରୀ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ । କାର୍‌ଟି ଦ୍ରୁତ ଗତିରେ ଆସି ଛିଡ଼ା ହୋଇଥିବା ଟ୍ରକ୍‌ ପଛକୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଆଜି ଭୋର ସମୟରେ ପଶ୍ଚିମବଙ୍ଗର ୬ ଜଣ ଯାତ୍ରୀ ଜାଇଲୋ କାର୍‌ ଯୋଗେ ପୁରୀ ଯାଉଥିଲେ । ଏହି ସମୟରେ ଛତାବର ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା । କାର୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇ ଚକା ତଳେ ପଶିଯାଇଥିଲା । ଘଟଣାସ୍ଥଳରେ କାର୍‌ରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.