ପିକଅପ୍ ଭ୍ୟାନ୍‌କୁ ପଛ ପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ : ଜଣେ ମୃତ, ୪ ଗୁରୁତର

ରଣପୁର : ପିକଅପ୍ ଭ୍ୟାନ୍‌କୁ ପଛ ପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ(୪୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୁକୁଡାଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଞ୍ଜାମ ସହ ଏକ ପିକଅପ୍ ଭ୍ୟାନ୍‌ରେ ବାଲୁଗାଁ ଅଭିମୁଖେ ଯାଉଥିଲେ । ଏତିକି ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.