ବାଇକ୍‌ ସହ ହାଇୱା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ ଥାନା ଅନ୍ତର୍ଗତ ବାଛେରା ପାଟଣା ଅନୁଗୁଳ ରାସ୍ତାରେ ଜଟିଆଣି ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ନିରଞ୍ଜନ ଦାସ ଏବଂ ଗୁରୁତର ଆହତ ହୋଇଥିବା ଯୁବକ ହେଲେ ଅଶ୍ୱିନୀ କୁମାର ଦାସ । ଉଭୟ ଦୁଇଭାଇ ହୋଇଥିବା ବେଳେ ଘର ଡେଲାଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ, ଡେଲାଙ୍ଗ ଅଞ୍ଚଳର ନିରଞ୍ଜନ, ତାଙ୍କ ଭାଇ ଏବଂ ଅନ୍ୟ ଜଣେ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନକୁ ବାଇକ୍‌ ଯୋଗେ ଆସିଥିଲେ । ଜଣଙ୍କୁ ଷ୍ଟେସନରେ ଓଲ୍ହାଇ ଦେଇ ନିରଞ୍ଜନ ଏବଂ ତାଙ୍କ ଭାଇ ଅଶ୍ୱିନୀ ଦାସ ବାଇକ ଯୋଗେ ଘରକୁ ଫେରୁଥିଲେ । ଜଟିଆଣି ମନ୍ଦିର ନିକଟରେ ସାମ୍ନା ପଟରୁ ଦୃତଗତିରେ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇ ହାଇୱା ଘଟଣା ସ୍ଥଳରୁ ଦୃତ ଗତିରେ ପଳାଇଥିଲା । ରାସ୍ତାରେ ଯାଉଥିବା ଲୋକେ ୧୦୮ ଆମ୍ବୁଲାନ୍ସକୁ ଡକାଇ ଉଭୟ ଆହତଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଗୁରୁତର ହେବାରୁ ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆହତ ନିରଞ୍ଜନ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଛନ୍ତି । ତେବେ ଖବର ଲେଖା ହେବା ବେଳକୁ ଦୁର୍ଘଟଣା ଘଟାଇ ଥିବା ହାଇୱାର ପତ୍ତା ମିଳି ନଥିବା ଜଟଣୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.