ଅଗଷ୍ଟରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଳକରେ ସର୍ବନିମ୍ନ ବର୍ଷା : ଶୁଖିଲା ପଡ଼ିଛି ସୋନଗଡ଼ ନଦୀ, ଅଧାପନ୍ତରିଆ ରହିଛି ଧାନ ଚାଷ

  • ପାଣି ଅଭାବରୁ ସାଢ଼େ ୧୧ଶହ ହେକ୍ଟର ଜମିରେ ହୋଇପାରିଲା ନି ଚାଷ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଦେଓଗାଁ ବ୍ଳକରେ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ । ପ୍ରତିବର୍ଷ ଜୁନ ଶେଷରେ ସୋନଗଡ଼ ନଦୀରେ ପାଣି ଯାଉଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପାଣି ଯିବା ଆରମ୍ଭ ହୋଇ ନ ଥିବାରୁ ଆଗକୁ ବର୍ଷ ସାରା ଲୋକମାନେ କିପରି ପାନୀୟ ଜଳ ଓ ଗାଧୋଇବା ପାଇଁ ମୁକାବିଲା କରିବେ ତାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଚଳିତ ବର୍ଷ ଚାଷକୁ ନେଇ ଅନୁଧ୍ୟାନ କରାଯିବାରୁ ଜଣାପଡ଼ିଛି ଯେ, ଦେଓଗାଁ ବ୍ଳକର ମୋଟ ୨୦ହଜାର ୧୭୫ହେକ୍ଟର ଚାଷ ଜମୀ ମଧ୍ୟରୁ ୧୦,୫୦୦ହେକ୍ଟର ଜମୀରେ ଧାନ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଦେଓଗାଁ ବ୍ଳକ କୃଷି ବିଭାଗ ପକ୍ଷରୁ ପାଇଥିବା ତଥ୍ୟ ଅନୁସାରେ ୧୦,୫୦୦ହେକ୍ଟର ମଧ୍ୟରୁ ୬୪୪୫ ହେକ୍ଟରରେ ବୁଣିବାକୁ ଓ ୪୦୫୫ ହେକ୍ଟରରେ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଆଜି ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୬୪୪୫ହେକ୍ଟର ମଧ୍ୟରୁ ୫୫୨୦ହେକ୍ଟର ଜମୀରେ ବୁଣା ଯାଇଛି ଓ ତନ୍ମଧ୍ୟରୁ ୧୭୯୦ ହେକ୍ଟର ଜମୀରେ ହୋଇପାରି ନାହିଁ । ସେହିପରି ୪୦୫୫ହେକ୍ଟର ଜମୀରେ ରୋପଣ ପାଇଁ ପହ୍ଲା ପକା ଶେଷ ହୋଇଥିଲା । ତନ୍ମମଧ୍ୟରୁ ୩୨୩୦ହେକ୍ଟର ଜମୀରେ ରୋପଣ କରାଯାଇଥିବା ବେଳେ ପାଣି ଅଭାବରୁ ୮୨୫ ହେକ୍ଟର ଜମୀରେ ପହ୍ଲା ରୁଆ ହୋଇପାରି ନାହିଁ । ମୋଟ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ୧୦୫୦୦ ହେକ୍ଟର ଜମୀ ମଧ୍ୟରୁ ରୁଆ ଓ ବୁଣା ମିଶି ୧୧୫୦ହେକ୍ଟର ଚାଷ ଜମୀରେ ପାଣି ଅଭାବରୁ ଚାଷ କରାଯାଇ ନ ଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଳକ ମଧ୍ୟ‌ରୁ ଦେଓଗାଁ ବ୍ଳକରେ ଅଗଷ୍ଟ ମାସ ୨୫ତାରିଖ ସୁଦ୍ଧା ସର୍ବ ନିମ୍ନ ବର୍ଷା ହୋଇଛି । ଯାହା ଫଳରେ ଚାଷ କାମ ଆଗେଇ ପାରି ନାହିଁ । ଆହୁରି ମାତ୍ର ଦିନେ ଦୁଇ ଦିନ ମଧ୍ୟରେ ଭଲ ବର୍ଷା ନ ହେଲେ ଚଳିତ ବର୍ଷ ନିଶ୍ଚିତ ଭାବେ ମରୁଡ଼ି ହେବା ବୋଲି କୃଷି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.