ommm
jittmm

ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ : ଭବିଷ୍ୟତର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଢେଙ୍କାନାଳ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଂଜୟ ଜାଜୁ ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) କ୍ୟାମ୍ପସ ପରିଦର୍ଶନରେ ଆସି ଏହାର ନବୀକରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ଏହା ସହିତ ସେ ଏହି କ୍ୟାମ୍ପସର ଆଗାମୀ ବିକାଶ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଶ୍ରୀ ଜାଜୁ ସଂସ୍ଥାନର ବିଭିନ୍ନ ଭିତ୍ତିଭୂମି ବିଶେଷକରି ଛାତ୍ର ଓ ଛାତ୍ରୀ ହଷ୍ଟେଲ, ଏକାଡେମିକ ବ୍ଲକ, ଅଡିଓ-ଭିଡିଓ କେନ୍ଦ୍ର ଓ ପ୍ରଶାସନିକ ବ୍ଲକକୁ ବୁଲି ଦେଖିଥିଲେ । ସଂସ୍ଥାନର ବର୍ତ୍ତମାନର ସ୍ଥିତି, ଶିକ୍ଷାଗତ ପଦକ୍ଷେପ, ଭିତ୍ତିଭୂମି ଆବଶ୍ୟକତା ଓ ସଂପ୍ରସାରଣ ପାଇଁ ଯୋଜନା ସଂପର୍କରେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ଅବସରରେ ପ୍ରଫେସର ପ୍ରଧାନ ଏହି କ୍ୟାମ୍ପସ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଭବିଷ୍ୟତର ସୁଯୋଗ ବିଶେଷକରି ପାଠ୍ୟକ୍ରମ ବିକଳ୍ପର ସଂପ୍ରସାରଣ ଓ ଛାତ୍ରଛାତ୍ରୀ କ୍ଷମତା ବୃଦ୍ଧି ସଂପର୍କରେ ସଚିବଙ୍କୁ ଅବଗତ କରାଇଥିଲେ । ଏହା ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ (ଏମଏ) ଆରମ୍ଭ କରିବା ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସମ୍ପର୍କକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା । କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ନେଇ ଶ୍ରୀ ଜାଜୁ ସନ୍ତୋଷ ପ୍ରକାଶ କରିବା ସହ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ଆଇଆଇଏମସି ଢେଙ୍କାନାଳକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଂପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ଏହି ଗସ୍ତ ଦେଶରେ ଗଣମାଧ୍ୟମ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ସୁଦୃଢୀକରଣ ଉପରେ ମନ୍ତ୍ରଣାଳୟ ଦେଉଥିବା ଗୁରୁତ୍ବକୁ ଦର୍ଶାଉଛି

Leave A Reply

Your email address will not be published.