ଡେଲାଙ୍ଗରେ ଗଡିଲା ରାଜସ୍ୱ ରଥ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚିଲା ରାଜସ୍ୱ ରଥ । ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ସମଗ୍ର ଦେଶ ତଥା ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ସରକାରଙ୍କ କୋଭିଡ କଟକଣା ଯୋଗୁ ଲୋକେ ଘରୁ ବାହରକୁ ବାହାରିବା ମନା । ତହସିଲ ଓ ବ୍ଳକ କାର୍ଯ୍ୟାଳୟରେ ସବୁଠାରୁ ଅଧିକ ଲୋକଙ୍କର ସମାଗମ ହେଉଛି । କରୋନା ସଂକ୍ରମଣରୁ ଜନସାଧାରଣକୁ ସୁରକ୍ଷା ଦୃଷ୍ଟିରୁ ଡେଲାଙ୍ଗ ତହସିଲ ପକ୍ଷରୁ ଲୋକଙ୍କ ଘରକୁ ଯାଇ ସେବା ଯୋଗାଦେବା ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ଡେଲାଙ୍ଗ ତହସିଲ ପକ୍ଷରୁ ରାଜସ୍ୱ ରଥକୁ ଅତିରକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମା ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେ଼ଇ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହିତ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଅନଲାଇନ୍‌ରେ ଯେଉଁମାନେ ପଟ୍ଟା, ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆଦି ପାଇଁ ଆବେଦନ କରିଥିବେ ସେମାନଙ୍କ ଘର ପାଖରେ ଏହି ରାଜସ୍ୱ ରଥ ମାଧ୍ୟମରେ ସମସ୍ତ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ପ୍ରକାଶ କରିଛନ୍ତି । ଡେଲାଙ୍ଗ ବ୍ଳକରେ ସୋମବାର ଓ ଶୁକ୍ରବାର ଦିନ ଏହି ରଥ ବୁଲିବ । ଆଜି ପ୍ରଥମ ଦିନରେ ରେଚଂ, ଅରିଶଲ, ଖେଲାଉରୀ, ଡେଲାଙ୍ଗ କୋଠବାଡ ପଚାଂୟତର ଅନଲାଇନରେ ଆବେଦନ କରିଥିବା ୩୦ ଜଣଙ୍କୁ ପଟ୍ଟା ଓ ୧୫ ଜଣଙ୍କୁ ବିଭିନ୍ନ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିବା ସମ୍ପର୍କରେ ତହସିଲଦାର ଶ୍ରୀ ବଡେଇ କହିଛନ୍ତି ।

Leave A Reply

Your email address will not be published.