
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ରାମକୃଷ୍ଣ ନଗର ୫ମ୍ ଲାଇନ ନିବାସୀ ସମାଜସେବୀ ତଥା ଆଇନଜୀବୀ ଶିବ ପ୍ରସାଦ ଦାଶ (୬୪ ବର୍ଷ)ଙ୍କ ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି । ବନ୍ଧୁ ବତ୍ସଳ, ପରୋପକାରୀ ବ୍ୟକ୍ତି ଭାବେ ସେ ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାର ଅନେକ ସ୍ଥାନରେ ବେଶ ଲୋକପ୍ରିୟ ଥିଲେ । ସ୍ୱର୍ଗତ ଦାଶଙ୍କ ଧର୍ମପତ୍ନୀ ରଶ୍ମିତା ଦାଶ, ଝିଅ ଡାକ୍ତର ପ୍ରିୟଙ୍କା, ଅଙ୍କିତା, ଲିପସିତା ନାତୁଣୀ ଅଂଶୁଙ୍କ ସମେତ ପରିବାରବର୍ଗ ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ଥିଲେ । ସରକାରୀ ଚାକିରୀରେ ଥିବା ବେଳେ ଶିବ ପ୍ରସାଦ ଦାଶ ବ୍ରହ୍ମପୁର, ଭଞ୍ଜନଗର, ଆସିକା, ଜଗନ୍ନାଥ ପ୍ରସାଦ ବ୍ଲକରେ ଗୁରୁତ୍ୱପୂର୍ଣ୍ଣ ପଦବୀର ଦାୟିତ୍ୱ ତୁଲାଇଥିଲେ । ଛତ୍ରପୁରଠାରେ ଅବସ୍ଥାପିତ ଥିବା ସମୟରେ ଡି. ଆର. ଡି. ଏ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେକ୍ସନ ଅଫିସର ଦାୟିତ୍ୱ ତୁଲାଇ ସୁନାମ ଅର୍ଜ୍ଜନ କରିଥିଲେ । ଅବସର ଗ୍ରହଣ ପରେ ସେ ଆଇନଜୀବୀ ଭାବେ ଗଞ୍ଜାମ ବାର ଆସୋସିଏସନ ର ସଦସ୍ୟ ହୋଇ କାର୍ଯ୍ୟରତ ଥିଲେ । କିଛି ଦିନ ହେଲା ସେ ଅସୁସ୍ଥ ଓ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ଶୋକ-ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।