
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଷଷ୍ଠ ଦିବସର ପ୍ରଥମ ମ୍ୟାଚଟି ତୁଷାର ରୟାଲ କିଙ୍ଗ ଓ ବ୍ଲାଷ୍ଟର ମଧ୍ୟରେ ହୋଇଥିଲା । ତୁଷାର ରୟାଲ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୬୦ ରନ୍ ସଂଗ୍ରହ କରିଥିଲେ । ଦଳ ତରଫରୁ ଅଂଶୁମାନ ମିଶ୍ର ସର୍ବାଧିକ ୪୪ ରନ୍ ଏବଂ ସୁବାଷିଶ ମିର୍ଦ୍ଧା ୨୮ ରନ୍ ସଂଗ୍ରହ କରିଥିଲେ । ବ୍ଲାଷ୍ଟର ଦଳ ତରଫରୁ ସଫଳ ବୋଲର ଭାବରେ ଅମିତ ଜୁଏଡ୍ ଓ ସୁମନ୍ତ ମିଶ୍ର ଉଭୟେ ୨ ଗୋଟି ୱିକେଟ ନେଇଥିଲେ । ବ୍ଲାଷ୍ଟର ଦଳ ୧୬୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୧୦୨ ରନ୍ ସଂଗ୍ରହ କରି ୫୮ ରନରେ ପରାଜିତ ହୋଇଥିଲେ । ବ୍ଲାଷ୍ଟର ଦଳ ତରଫରୁ ସୁମନ୍ତ ମିଶ୍ର ସର୍ବାଧିକ ୨୨ ରନ୍ ସଂଗ୍ରହ କରିଥିଲେ । ତୁଷାର ଦଳ ତରଫରୁ ଗୌରବ ଦେବ କୁମ୍ଭାର ୪ ଗୋଟି ୱିକେଟ ନେଇଥିଲେ । ଏହି ବିଜୟ ସହ ତୁଷାର ରୟାଲ ଫାଇନାଲରେ ପ୍ରବେଶ କରିଛି । ଦ୍ୱିତୀୟ ମ୍ୟାଚଟି ସ୍ୱରାଜ ଏବଂ ଆବ୍ରାହମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱରାଜ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୭୫ ରନ୍ ସଂଗ୍ରହ କରିଥିଲେ । ସ୍ୱରାଜ ଦଳ ତରଫରୁ ବିଶ୍ୱ ରଂଜନ ସିଂ ସର୍ବାଧିକ ୫୯ ରନ୍ ଓ ଧର୍ମେନ୍ଦ୍ର ମିଶ୍ର ୫୩ ରନ୍ ସଂଗ୍ରହ କରିଥିଲେ । ଆବ୍ରାହମ ଦଳ ତରଫରୁ ସଫଳ ବୋଲର ଭାବରେ ସୁରେଶ ନାଗ ୨ ଗୋଟି ୱିକେଟ ନେଇଥିଲେ । ଏହାର ଜବାବରେ ଆବ୍ରାହମ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲେ । ଫଳରେ ଏହି ମ୍ୟାଚଟିକୁ ସ୍ୱରାଜ ଦଳ ୩୦ ରନ୍ରେ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚରେ ତୁଷାର ଦଳର ଓମ୍ ମହାନ୍ତି ଓ ଦ୍ୱିତୀୟ ମ୍ୟାଚରେ ସ୍ୱରାଜ ଦଳର ଧର୍ମେନ୍ଦ୍ର ମିଶ୍ରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଭବାନୀ ଶଙ୍କର ମହାନନ୍ଦ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଉଭୟ ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିଲେ । ଆଜିର ଷଷ୍ଠ ଦିବସର ଅତିଥି ଭାବେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସୂର୍ଯ୍ୟ ମିଶ୍ର, ପୂର୍ବତନ ଖେଳାଳି ସୁବ୍ରତ ଦାଶ, ସଇଁନ୍ତଲା ସରପଂଚ ସୁବ୍ରତ ନାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚରେ ବିସିଏଲ୍ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର, ସଂପାଦକ ବିକ୍ରମ ପାତ୍ର, ଆଶିଷ ମିଶ୍ର, ତାପସ ମହାନ୍ତି, ଦେବାଶିଷ, ସୁମିତ, ବିବେକା, ମନୋଜ, ବିଶ୍ୱଜିତ, ସଂଜିବ ପଣ୍ଡା, ରମଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।