ରାଜ୍ୟର ଚାଷୀଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ

  • ସରକାର ହସ୍ତକ୍ଷେପ କରିବା ଜରୁରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟତଃ ଜଳସେଚନ ପ୍ରକଳ୍ପକୁ ତରାନିତ୍ଵ କରିବା ସାଂଗକୁ ଜଳାଶୟ ଗୁଡ଼ିକର ସୁରକ୍ଷା ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାର ଚାଷୀମାନେ କେବଳ ଇନ୍ଦ୍ରଦେବଙ୍କ ଆଶୀର୍ବାଦ ଉପରେ ଅବା ସ୍ୱର୍ଗାଶ୍ରୟ ଉପରେ ନିର୍ଭରଶୀଳ ହୋଇ ଚଳିଆସୁୁଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲାର କଠିନ ପରିଶ୍ରମ କରି ଚଳୁଥିବା ଚାଷୀ ପରିବାରଙ୍କ ସମସ୍ୟା ଅତ୍ୟନ୍ତ ଦୁଃଖ ଦାୟକ ପରିସ୍ଥିତି ଅଟେ । ସର୍ବୋପରି ରାଜ୍ୟର ଚାଷୀଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଛି । ସରକାର ଏଦିଗରେ ହସ୍ତକ୍ଷେପ କରିବା ଜରୁରୀ ବୋଲି ଅଖିଳ ଭାରତୀୟ କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି । ଶାସନ ଭାର ବହନ କରୁଥିବା ରାଜନୈତିକ ଦଳ ଓ ସରକାର ରାଜ୍ୟର ଚାଷୀଙ୍କ ପାଇଁ ସମ୍ବେଦନଶୀଳ ନୁହଁନ୍ତି ବୋଲି କଂଗ୍ରେସ ନେତା ତଥା ଦଳର ଗଞ୍ଜାମ ଜିଲ୍ଲା ପରିଚାଳନା କମିଟି ଉପସଭାପତି ରଶ୍ମୀରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୭୮% ଜନସାଧାରଣ ଆର୍ଥିକ ଦୃଷ୍ଟିରୁ ସିଧାସଳଖ କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ ଥିବାବେଳେ ଜଳସେଚନ ସୁବିଧା ନଥିବା ହେତୁ କୃଷିକ୍ଷେତ୍ରରୁ ଚାଷୀ ଆଶାନୁରୂପକ ସଫଳତା ପାଇ ନ ପାରି ଚାଷରୁ ମୁହଁ ଫେରାଇ ନେଉଛନ୍ତି । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ କୃଷକ ବୀମା ଯୋଜନା ସ୍ଥାନରେ ରାଜନୈତିକ ଦଳ ବେସରକାରୀ ବୀମା କମ୍ପାନୀମାନଙ୍କ ସହ ମିଳିତ ହୋଇ କୃଷକଙ୍କୁ ଠକିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଗଞ୍ଜାମର ଏକ ଲକ୍ଷ ପାଞ୍ଚ ହଜାର ଚାଷୀଙ୍କ ଠାରୁ ପନ୍ଦର କୋଟି ଟଙ୍କାର ବୀମା ପ୍ରିମିୟମ ନେଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପାଞ୍ଚ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପଛାଉଛନ୍ତି ବୋଲି କୃଷକ ସେଲର ରାଷ୍ଟ୍ରୀୟ ସଂଯୋଜକ ଅମୀୟ ରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଖରିଫ ଫସଲ ବୀମା ପାଇଁ ଚଳିତ ଜୁଲାଇ ୩୧ ପର୍ଯ୍ୟନ୍ତ ଥିବା ସମୟସୀମାକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅବଧି ବଢାଇବାକୁ ଦାବୀ କରାଯାଇଛି । ଏହା ସହ ପଞ୍ଚାୟତ ବଦଳରେ ରାଜ୍ୟକୁ ଏକ ଏକକ ଭାବେ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଦାଦନ ଶ୍ରମିକ ସମସ୍ୟା ହଟାଇବା ପାଇଁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଏକମାତ୍ର ପଥ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ସାଧାରଣ ନିର୍ବାଚନ ସମୟରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଯେଉଁ ପ୍ରତିଶୃତି ପ୍ରଦାନ କରିଥିଲେ ତାହାକୁ ପୂରଣ କରିବାକୁ ଆବାନ ଦେଇଛନ୍ତି । ଚାଷୀଙ୍କୁ ବିଳମ୍ବିତ ସହାୟତାକୁ ତୀବ୍ର ସମାଲୋଚନା କରିବା ସହ ସ୍ଵତନ୍ତ୍ର କୃଷିନୀତି ପ୍ରଣୟନ ପାଇଁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଚାଷୀଙ୍କୁ ଉପଲବ୍ଧ କରିବାପାଇଁ ସରକାର କାହିଁକି ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଚିକିଟିର କୃଷକ ନେତା ସୁବାଷ ରାଉତ, ଦିଗପହଣ୍ଡିର ବୃନ୍ଦାବନ ଖଟେଇ, ହିଞ୍ଜିଳିର ପଦ୍ମଚରଣ ସାହୁ, ଗୋପାଳପୁରର ଶ୍ୟାମ ସୁନ୍ଦର ସାହୁ, ମହେଶ୍ୱର ପାତ୍ର (କନିଷି ), ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ମହେଶ୍ୱର ଗୌଡ଼, ଉଦୟ ପାତ୍ର (ଛତ୍ରପୁର ବ୍ଲକ୍), ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ମହେଶ୍ୱର ଗୌଡ଼ ପ୍ରମୁଖଙ୍କ ସମେତ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ । ଜିଲ୍ଲା କଂଗ୍ରେସ କମିଟୀ ସମ୍ପାଦକ ଅଶୋକ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.