
- ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କଲେ ଅଂଶଗ୍ରହଣ
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ସୋମବାର ଅପରାହ୍ନରେ ସେ ଛତିଶଗଡ଼ର ରାୟପୁରରୁ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଷ୍ଟ୍ରପତି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିଥିଲେ ଏବଂ ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ । କାଳିଆପଲ୍ଲୀ ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଏଠାରେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହି ସ୍ଥାନ ଏବଂ ଅଞ୍ଚଳର ବିକାଶରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ସାକାର ରୂପ ଦେବା ପାଇଁ ସମସ୍ତେ ଆଗକୁ ଆସିବା ଉଚିତ । ରାଷ୍ଟ୍ରପତି କହିଥିଲେ, ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବିଶେଷତ୍ୱ । ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଦିବାସୀ ଭାଇ ଓ ଭଉଣୀମାନେ ଜଙ୍ଗଲ, ବୃକ୍ଷ ଆଦିକୁ ଦେବତା ଭାବେ ପୂଜା କରିଥାନ୍ତି । ଆଦିବାସୀଙ୍କ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି । ଏହି ବିଶ୍ୱାସ, ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର । ଆଦିବାସୀ ଭାଇ ଓ ଭଉଣୀମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ସହିତ ସେମାନଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । କଲ୍ୟାଣମୂଳକ ଯୋଜନା ବିଷୟରେ ସଚେତନ ହେବା ଏବଂ ସେଗୁଡ଼ିକର ଲାଭ ଉଠାଇବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ଲୋକମାନଙ୍କର ସହଯୋଗ ଏବଂ ଭାଗିଦାରୀ ଦ୍ୱାରା ସରକାରୀ ଯୋଜନାଗୁଡ଼ିକ ସଫଳ ହୋଇପାରିବ ।