
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୫ ଦିନ ପରେ ଅଣସର ଘରୁ ବାହାରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି ଅପରୂପ ବେଶରେ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁସାରେ ସ୍ନାନପୂର୍ଣ୍ଣିମାଠାରୁ ଅଣସର ଘରେ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ପାରମ୍ପରିକ ରୀତିନୀତି ପୂଜକ ମାନଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ପ୍ରତ୍ୟୁଷରେ ଦ୍ୱାରପିଟା ପରେ ପଟ୍ଟିଦିଅଁ ବିସର୍ଜନ କରାଯାଇଥିଲା । ପଣା ସମର୍ପଣ, ବିମ୍ବସ୍ନାନ, ତଡପଲାଗି, ସର୍ବାଙ୍ଗ, ବେଶ, ଷୋଡଶ ଉପଚାରରେ ବାଳଭୋଗ ଲାଗି ସହିତ ପୂଜା ଆଳତୀ ପରେ ନବଯୌବନ ଦର୍ଶନ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାଯାଇଥିଲା । ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କର ଅପରୂପ ନବଯୌବନ ଦର୍ଶନ କରି ବିଭୋର ହୋଇଯାଇଥିଲେ । ସମସ୍ତ ପୂଜକଙ୍କ ସମେତ ଅନ୍ୟ ସେବାୟତମାନେ ଶ୍ରୀ ଜୀଉଙ୍କର ସମସ୍ତ ପୂଜାନୀତି ସମ୍ପାଦନରେ ସହଯୋଗ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ଟି. ନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବାଲିଗୁଡା ସମେତ ଆଖ ପାଖ ଅଞ୍ଚଳ ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି ଅଞ୍ଚଳରେ ମଧ୍ୟ ଯଥା ରୀତିନୀତି ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।