ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି : ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ବୃଦ୍ଧି ପାଉଛି
- ଦୈନିକ ଜଣ ଜଣଙ୍କର ଜୀବନ ହାନି ଘଟୁଛି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି । ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ଘଟୁଛି । ବର୍ଷ ବର୍ଷ ଧରି ଦିନ ଗଢ଼ି ଯାଉଛି, ଫ୍ଲାଏ ଓଭର୍ ବ୍ରିଜ୍ ନିର୍ମାଣ ନାଁ ଗନ୍ଧ ଦିଶୁ ନାହିଁ । ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଛତ୍ରପୁର ସହରର ବିଭିନ୍ନ ସ୍ଥାନ ଯଥା ଜାତୀୟ ପର୍ଯ୍ୟଟନ ସ୍ଥଳ “ତାମ୍ପରା” ଛକ, ପାଲିଆ-ଛତ୍ରପୁର ଛକ, ଫାୟାର ଷ୍ଟେସନ୍ ଛକ, ବ୍ୟାଙ୍କ୍ କଲୋନୀ ଛକ, ବିଜ୍ଞାନ ମହାବିଦ୍ୟାଳୟ ଛକ, ଡି.ଆର୍.ଡି.ଏ. ଛକ, ଚମାଖଣ୍ଡି ଛକ ନିକଟରେ ଦୁର୍ଘଟଣା ବୃଦ୍ଧି ପାଉଛି । ମୁଖ୍ୟତଃ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ନେଇ ଜନତା ଉତ୍ତ୍ୟକ୍ତ ହୋଇ ଉଠିଲେଣି । ଡବଲ ଇଞ୍ଜିନ ସରକାରଙ୍କ ଉପରେ ଛତ୍ରପୁର ଅଞ୍ଚଳବାସୀ ଆସ୍ଥା ଓ ବିଶ୍ୱାସ କରି ଆସିଥିଲେ, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ଏକ ଆନୁଷ୍ଠାନିକ ସଭାମଞ୍ଚରେ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଜାତୀୟ ରାଜପଥ ସଙ୍ଗମ ସ୍ଥଳରେ ଦୁର୍ଘଟଣା ବଢୁଥିବା ବିଷୟରେ ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଛତ୍ରପୁର ଜାତୀୟ ରାଜପଥରେ ମରଣଯନ୍ତା ସ୍ୱରୂପ ଦୃଷ୍ଟିପାତ କରିଥିଲେ । ସର୍ବୋପରି ଅନେକ ଜନପ୍ରତିନିଧିଙ୍କୁ ବହୁବାର ଦାବୀ ଓ ଅଭିଯୋଗ କରିଆସୁଥିଲେ ହେଁ ଜାତୀୟ ରାଜପଥ ସଂଯୋଗ ସ୍ଥଳେ ଅଣ୍ଡରପାସ୍ ବ୍ୟବସ୍ଥାର ଫଳପ୍ରଦ ହୋଇପାରିଲା ନାହିଁ । ତେଣୁ ଏହି ସବୁ ସଙ୍ଗମସ୍ଥଳ ସ୍ଥାନମାନଙ୍କରେ ଦୈନିକ ଜଣ ଜଣଙ୍କର ଜୀବନ ହାନି ଘଟୁଛି । ମୁଖ୍ୟତଃ କଲେଜ୍ ଛକ, ଓ ଡି.ଆର୍.ଡି.ଏ. ଛକରେ ଦୈନିକ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ହାନି ଘଟୁଛି ବୋଲି ସ୍ପଷ୍ଟ ହୋଇଛି । ସେହିପରି ସୋମବାର ଅପରାହ୍ନ ବେଳେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଜୀବନ ଯାଇଛି । ତେଣୁ ଜନତା ଉତ୍ତ୍ୟକ୍ତ ହୋଇଉଠିଛନ୍ତି । ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଲୋକେ ଚେତାବନୀ ଦେଇଥିବା କୁହାଯାଏ । ସୂଚନା ଯୋଗ୍ୟ ଯେ’ ଛତ୍ରପୁର ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ଏକ ଦୂରଗାମୀ ୧୮ ଚକିଆଯାନ ଟ୍ରକ ଦୁର୍ଘଟଣାରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀ ଛାତ୍ରୀ ଏସ୍. ଶ୍ରୁତି ରେଡ୍ଡୀଙ୍କ ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ମୃତ ନାବାଳିକା ଜଣକ ହେଲେ ଆଇ.ଆର.ଇ. ଜଙ୍କସନ୍ କାଳିଆବାଲି ଗ୍ରାମର ଅବସରପ୍ରାପ୍ତ ଆର୍ମି ପର୍ସନ ଏସ.ଦେବରାଜ ରେଡ୍ଡିଙ୍କ ଝିଅର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ଦୁଇ ପୁଅ ଏସ.ବିକାଶ, ଏସ.ଲୋକେଶ ଏବଂ ସ୍କୁଟି ଚାଳକ ବାପା ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ବୋଲି ଖବର ମିଳିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ନମ୍ବର ଓ.ଡ଼ି. ୦୨ସି.ଏମ୍.୩୧୬୫ ଗାଡ଼ିକୁ ଛତ୍ରପୁର ଥାନା ନିକଟରେ ଅଟକ ରଖାଯାଇଛି । ସୂଚନା ମୁତାବକ, ଦେବରାଜ ରେଡ୍ଡୀ ନିଜ ସ୍କୁଟି ଯୋଗେ ଦୁଇ ପୁଅ ଓ ଝିଅଙ୍କୁ ବସାଇ କାଳିଆବାଲିରୁ ଛତ୍ରପୁର ସହର ଅପର୍ ବସଷ୍ଟାଣ୍ଡ ଅଞ୍ଚଳ କୁ ପିଲାମାନଙ୍କୁ ଟ୍ୟୁସନ୍ ଛାଡିବାକୁ ଦୈନିକ ଆସୁଥିଲେ । ସୋମବାର ଅପରାହ୍ନ ୩ ଟା ୩୦ ମିନିଟ ସମୟରେ ଏହି ଅଦ୍ଭାବନୀୟ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଛତ୍ରପୁର ଜାତୀୟ ରଜପଥ ଡିଆରଡିଏ ଛକରୁ ଛତ୍ରପୁର ଅଭିମୁଖେ ବୁଲିବା ସମୟରେ ଉକ୍ତ ଟ୍ରକ୍ ତାଙ୍କୁ ଅତ୍ରିକ୍ରମ କରିଥିବାରୁ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାଜପଥରେ ପଡିଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଶୃତିକୁ ମୃତ୍ୟୁ ଘୋଷଣା କରିଥିଲେ ।