
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଜାରି କରିଛନ୍ତି । ଏହାକୁ ଭିତ୍ତି କରି ବ୍ଲକସ୍ତରରେ ବାତ୍ୟା ଓ ବର୍ଷା ନେଇ ସଜାଗ ଓ ସତର୍କ ରହିବାକୁ ଓ ପୂର୍ବ ପ୍ରସ୍ତୁତି କରି ରହିବାକୁ ନିର୍ଦ୍ଦେଶ ରହିଛି । ବାତ୍ୟା ଉପକୂଳ ଛୁଇଁବା ବେଳେ ସମୁଦ୍ରରେ ପବନର ବେଗ ୧୦୦ ରୁ ୧୨୦ କିଲୋମିଟର ରହିବ । ତେବେ ଏହି ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ସେ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ପୁରୀ ଜିଲ୍ଲା ଡେଲାଙ୍ଗକୁ ସତର୍କତା ପଦକ୍ଷେପ ସ୍ୱରୂପ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ବୈଠକ ମାଧ୍ୟମରେ ବ୍ଲକର ସମସ୍ତ ବିଭାଗ ଓ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଡ଼ିଓ କ୍ଷିତିଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ୧୫ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ତହସିଲଦାର ସନ୍ତୋଷ୍ୱନୀ ଦାଶ, ଆସିଷ୍ଟାଣ୍ଟ ଏଜୁକେଟିଭ ଇଞ୍ଜିନିୟର ସୁବ୍ରତ କୁମାର ବାରିକ ସମେତ ସମସ୍ତ ଅଧିକାରୀ ଏବଂ ୨୧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ । ଡେଲାଙ୍ଗ ବ୍ଲକର ଯେମିତି ଜିରୋ କାଜୁଆଲିଟି ରହିବ ସେଥିପାଇଁ ସମସ୍ତ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଆଗାମୀ ୨୩, ୨୪ ଓ ୨୫ ତାରିଖ ୩ ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ସହିତ ବନ୍ୟାର ପରିସ୍ଥିତି ବି ଦେଖା ଦେଇପାରେ । ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ବ୍ଲକସ୍ତରୀୟ , ତହସିଲ ସ୍ତରୀୟ ଏବଂ ସମସ୍ତ ଲାଇନ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ । ସମସ୍ତ ଅଧିକାରୀ ଏବଂ କର୍ମଚାରୀଗଣ ନିଜ ନିଜ ହେଡ୍ କ୍ୱାର୍ଟରରେ ରହିବେ । ସମସ୍ତଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଗ୍ନିଶମ କେନ୍ଦ୍ର ଗୁଡିକୁ ପୂର୍ବ ପ୍ରସ୍ତୁତି କରି ସଜାଗ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନେ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇବେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମିତ୍ତ ଯେଉଁ ଅତିରିକ୍ତ ଆବଶ୍ୟକତା ରହୁଛି ତାହା ପୂର୍ବରୁ ଜଣାଇ ପ୍ରସ୍ତୁତ କରି ରଖିବେ । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଯାଞ୍ଚ କରି ସେଗୁଡିକର ସ୍ଥିତିର ସୁଧାର ଆଣିବେ । ଆବଶ୍ୟକ ସ୍ଥଳେ ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡିକର ମରାମତି, ବିଦ୍ୟୁତ୍ ଯୋଗାଣ, ଜେନସେଟ୍ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା କରି ରଖିବେ । ଏହି କାର୍ଯ୍ୟ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରାସ୍ତା ଯେପରି ଅବରୋଧ ହେବ ନାହିଁ ସେଥି ପ୍ରତି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଯଦିବା ରାସ୍ତା ଅବରୋଧ ହୁଏ ତେବେ ତୁରନ୍ତ ସେହି ରାସ୍ତା ଯେପରି ଖୋଲିବ ସେଥି ନିମନ୍ତେ ଜେସିବି, କଟର ବ୍ଲକ୍ ପଏଣ୍ଟରେ ରହିବ ତାର ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି । ମୋବାଇଲ ଯେମିତି ଅନବରତ କାର୍ଯ୍ୟକ୍ଷମ ରହିବ ସେଥି ନିମନ୍ତେ ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ବିଭିନ୍ନ ବିଭାଗୀୟ ଅଧିକାରୀ ବିଗତ ବର୍ଷର ବାତ୍ୟା ସମୟରେ ଯାହା ସବୁ ସମସ୍ୟା ଥିଲା ଏବଂ ସେଗୁଡିକ କିଭଳି ଉପଯୁକ୍ତ ପରିଚାଳନା ଦ୍ୱାରା ସମାଧାନ କରାଗଲା ତାହା ବୈଠକରେ ଅବଗତ କରାଇବା ସହ ଚଳିତ ଥର କେଉଁ ସବୁ ପଦକ୍ଷେପ ମାନ ଗ୍ରହଣ କରାଯାଇ ପାରିବ ତାହାର ସମ୍ପର୍କରେ ଜଣାଇଥିଲେ । ତଳିଆ ଅଞ୍ଚଳ, କଚ୍ଚା ଘରେ ବସବାସ କରୁଥିବା ପରିବାର ବର୍ଗ କିମ୍ବା ଯେଉଁ ଘରର ସ୍ଥିତି ଠିକ୍ ନାହିଁ ଦୁର୍ବଳ ଅବସ୍ଥାରେ ଅଛି ସେହି ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟ ସ୍ଥଳରେ ରଖିବା ବ୍ୟବସ୍ଥା, ରନ୍ଧା ଖାଦ୍ୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ଉପଯୋଗ କରିବା ପାଇଁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଦିନ ଜନସାଧାରଣ ଯେପରି ବାହାରକୁ ବାହାରିବେ ନାହିଁ । ସମସ୍ତ ପ୍ରସ୍ତୁତି କରିବା ସହିତ ବ୍ୟାପକ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଗ୍ରାମ ପଞ୍ଚାୟତରେ ପିଡ଼ିଏସ ଚାଉଳର ତୁରନ୍ତ ବଣ୍ଟନ ଯୋଗାଣ ଅଧିକାରୀ ଅବଗତ କରାଇଥିଲେ । ଚୁଡା, ଗୁଡ, ଚିନି, କିରୋସିନି ଅତ୍ୟାବଶ୍ୟକୀୟ ସାମଗ୍ରୀ ସମସ୍ତ ପଞ୍ଚାୟତ ଗୁଡିକରେ ଗଚ୍ଛିତ କରିବା ପାଇଁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ । ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ରୋକିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସତର୍କ କରାଇଛନ୍ତି । ଗର୍ଭବତୀ ମହିଳା କିମ୍ବା ଯେଉଁ ମାନଙ୍କ ପ୍ରସବ ସ୍ୱଳ୍ପ ଦିନ ମଧ୍ୟରେ ହେବାକୁ ଅଛି ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରି ସେମାନଙ୍କ ଯତ୍ନ ନେବାପାଇଁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ଜନିତ ରୋଗର ମୁକାବିଲା ସକାଶେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଡାଇରିଆ, ଡିସେଣ୍ଟ୍ରି, ସାପ କାମୁଡା ଇତ୍ୟାଦି ଔଷଧ ମହଯୁଦ କରି ରଖିବାକୁ କୁହାଯାଇଛି । ଆମ୍ବୁଲାନ୍ସ ସେବା ବ୍ୟବହାର ହେବ, ଆବଶ୍ୟକ ସ୍ଥଳେ ବେସରକାରୀ ଆମ୍ବୁଲାନ୍ସ ଗୁଡିକ ମଧ୍ୟ ବ୍ୟବହାର କରିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକସ୍ତରରେ କମିଟି ଗଠନ କରି ଚାଷ କାର୍ଯ୍ୟର ଆକଳନ ସହିତ ସଠିକ ଫଟୋଗ୍ରାଫ୍ କରି ରଖିବା ପାଇଁ ବ୍ଲକ କୃଷି ଅଧିକାରୀଙ୍କୁ କୁହାଯାଇଛି । ପାନୀୟ ଜଳର ବ୍ୟବସ୍ଥା, ପଶୁ ସମ୍ପଦର ସୁରକ୍ଷା, ଔଷଧ ମହଯୁଦ, ପଲଥିନ, ଅତ୍ୟାବଶ୍ୟକୀୟ ସାମଗ୍ରୀର ମହଯୁଦ୍ ଏବଂ ଅନ୍ୟାନ୍ୟ ବିଷୟ ନେଇ ସବିଶେଷ ଆଲଚନା ହୋଇଯାଇଛି । ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।