ପରମ୍ପରାର ପୁନରାବୃତ୍ତି ଡାଲଖାଇ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ପଦ୍ମପୁରର ସଙ୍ଗୀତ ସମିତି ଆନୁକୂଲ୍ୟରେ ଡାଲଖାଇ ମହୋତ୍ସବ -୨୦୨୫-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ବେଳା,ବଡ଼ବନ୍ଧ ପୋଖରୀରେ ବାଲିକଢ଼ା, ଘାଟରେ ପୂଜା ଓ ଅନ୍ୟାନ୍ୟ ରୀତିନୀତି ପାରମ୍ପାରିକ ଡାଲଖାଇ ନୃତ୍ୟଶିଳ୍ପୀ ଓ ମଞ୍ଚଶିଳ୍ପୀ ମାନଙ୍କ ଦ୍ୱାରା ମିଳିତ ଭାବରେ ଅନୁଷ୍ଠିତ ହୋଇଥିଲା । ପରେ ପୁତୁଲାପୂଜା, ଶିବପାର୍ବତୀଙ୍କ ସାତଘର ଭ୍ରମଣ ଓ ପାଦଧୂଆ ପରେ ଏକ ବିରାଟ ଶୋଭାଯାତ୍ରା ସହରର ବିଭିନ୍ନ ରାସ୍ତା ଅତିକ୍ରମ କରି ରାଜାଜୀ ଟାଉନ୍ ହଲ୍‌କୁ ପହଞ୍ଚିଥିଲା । ପାରମ୍ପରିକ ତଥା ମଞ୍ଚ ନୃତ୍ୟଶିଳ୍ପୀ ମାନଙ୍କର ଗଁଣାବଜାର ତାଳେ ତାଳେ ଡାଲଖାଇ ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ଥିଲା । ଟାଉନ୍ ହଲ୍ ପ୍ରାଙ୍ଗଣରେ ନିର୍ମିତ ଡାଲଖାଇ କୁଠିକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉଦ୍‌ଘାଟନ କରିଥିଲେ । ଡାଲଖାଇର ଉତ୍ପତ୍ତିସ୍ଥଳ ବୋଡ଼ାସମ୍ବର୍ ଡାଲଖାଇ ଏକାଡେମୀ ଏବଂ ଗଁଣାବଜାକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀରେ ତାଲିକାଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିବାକୁ ଘୋଷଣା କରିଥିଲେ । ଡ଼ାଲଖାଇ ମହୋତ୍ସବର ମୁଖ୍ୟ ଆକର୍ଷଣ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗଣ୍ଡାବଜା ସାଙ୍ଗେ ନାଚିଥିଲେ । ଡାଲଖାଇ କୋଠିରେ ପାରମ୍ପରିକ ପୂଜା ଅନୁଷ୍ଠିତ ହେବା ସହିତ ଧୂନକେଲ ବାଦ୍ୟର ଆଧାରରେ ଡାଲଖାଇ ଗାଥା ପରିବେଷିତ ହେବା ସହିତ କୁଠି ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତା ଓ ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜନାରେ ଡାଲଖାଇର ସାଂପ୍ରତିକ ପ୍ରାସଙ୍ଗିକତା ବିଷୟ ଉପରେ ଆୟୋଜିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଙ୍ଗୀତ ସମିତିର ସଭାପତି ରାଜେଶ ଗୁର୍ଲା ସ୍ୱାଗତ ଭାଷଣ ଦେଇଥିଲେ । ଡ଼ଃ ଦୁର୍ଗାଶିଷ ପଟ୍ଟନାୟକ ଓ ଲାଇବ୍ରେରିଆନ୍ ମନୋଜ କୁମାର ସାହୁ ଭିତ୍ତିପ୍ରବନ୍ଧ ପାଠ କରିଥିବା ବେଳେ ଡ଼ଃ ପ୍ରମୋଦ କୁମାର ପାଢ଼ୀ, ଆସୋସିଏଟ ପ୍ରଫେସର ରାଧାକାନ୍ତ ସୁନା ଓ ଯୁବ ଗବେଷକ ସୁନୀଲ ମହାନନ୍ଦ ବିଭିନ୍ନ ଦିଗ ଉପରେ ଆଲୋଚକ ଭାବେ ଆଲୋକପାତ କରିଥିଲେ । ଏଥିରେ ଅନେକ ଗବେଷକ, ଗବେଷିକା, ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରଦର୍ଶନ ବିଭାଗର ପ୍ରାକ୍ତନ ଓ ନୂତନ ଛାତ୍ରଛାତ୍ରୀମାନେ ତଥା ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ରମେଶ ଗୁର୍ଲା ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ଖରାମାଲ, ଭେଉଁରିଆ, ବେନକେରା, ଧଉଁରଭଟା ଓ ଅନ୍ୟାନ୍ୟ ଗ୍ରାମରୁ ଆସିଥିବା ବରିଷ୍ଠ ଡାଲଖାଇ କଳାକାର, ସୁହଲକୁଠିର ଚିତ୍ରକର ନୁକଳ ଗୀଙ୍ଗିରା, ମୀନାକ୍ଷୀ ଭୋଇ ଓ ବରିଷ୍ଠ ଧୂନକେଲ ବାଦକ ମକରଧ୍ୱଜ କଅଁରଙ୍କୁ ସମ୍ଵର୍ଦ୍ଧନା ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ସମ୍ମାନିତ ଅତିଥି ସମଧ୍ୱନି ସମ୍ପାଦିକା ସ୍ୱୟଂପ୍ରଭା ପାଢ଼ୀ ଟଙ୍କଧର ସାହୁ, ଆଇନଜୀବୀ ଅଜିତ ଶତପଥି, ନାଟ୍ୟକାର ଶଙ୍କର ମହାନନ୍ଦ ଓ ଅଧ୍ୟାପକ ସୁଶାନ୍ତ ମିଶ୍ର ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପବନ୍ଧୁ ଶିକା, ନାଟ୍ୟକାର ରାଜକୁମାର ସାହୁ, ଗୋବର୍ଦ୍ଧନ ଛତର, ଟେନେଶ କୁମାର ପଣ୍ଡା, ଅଜିତ୍ ବିଶ୍ୱାସ, ଅଶ୍ୱନୀ ପଟେଲ, ଅନୀଲ ଗୁର୍ଲା, ଅଞ୍ଜଳି ପରିଡ଼ା, ପୂଜା ପୂରବୀ ବୋହିଦାର୍, ସୋନାଲିକା ଶବର, ଲିଲି ସାହୁ, ଆଶିଷ ବୈକାର ସଂଜୀବ ବହିଦାର ପରିଚାଳନାରେ ସହଯୋଗ କରିଥିଲେ । ହଜି ଆସୁଥିବା ପାରମ୍ପରିକ ଡାଲଖାଇର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଏ ଉତ୍ସବର ଆୟୋଜନକୁ ସବୁ ମହଲରୁ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.