ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାୟାବର୍ହା, ରାମପୁର, ବାଙ୍କିପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି, ବେହେରାମାଲ ଓ ସମଲେଇଚୁଆଁ କ୍ଲଷ୍ଟରର ୫୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତିନି ଦିନିଆ ବିଦ୍ୟାଳୟ ପରିଚାଳନା ପାଇଁ ଦକ୍ଷତା ବିକାଶ ସମ୍ପର୍କିତ ତାଲିମ ନେଇଥିଲେ । ପ୍ରଶିକ୍ଷକ ମୀନକେତନ ପ୍ରଧାନ, ଆନନ୍ଦ ପଧାନ, ନାରାୟଣ ମେହେର ଓ ହିମାଂଶୁ ସାହୁ ତାଲିମ ପ୍ରଦାନ କରିଥିଲେ । ସୋନପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଅକ୍ଷୟ ବେରିଆ, ଡୁଙ୍ଗୁରିପାଲି ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା, ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ସେଠ୍ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ବାଘ, ବାଙ୍କୀପାଲି ସିଆରସିସି ସୁନୀଲ ସେଟ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନୁପକୁମାର ଗଡ଼ନାୟକ ନିଜ ଲିଖିତ ପୁସ୍ତକ ଆମ ପ୍ରକୃତି ଓ ଭକ୍ତି ସାଗରକୁ ବିନାମୂଲ୍ୟରେ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପାଠାଗାରର ଅଭିବୃଦ୍ଧି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସିଆରସିସି, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।