ଡକାୟତି ଯୋଜନା ପଣ୍ଡ କଲା ବଲାଙ୍ଗିର ପୋଲିସ : ୧୦ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକାୟତି କରିବାକୁ ଯୋଜନା କରୁଥିଲେ । କାବୁ କରିନେଲା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ସହରର ପାଟଣାଛକ ସପ୍‌ନା ଲଜ୍‌ ନିକଟସ୍ଥ ଉପହାର କଂପ୍ଲେକ୍ସ ପରିସରରେ କିଛି ଯୁବକ ଡକାୟତି ଯୋଜନା କରୁଥିବା ସଂପର୍କରେ ବଲାଙ୍ଗିର ଟାଉନ ପୋଲିସ ଖବର ପାଇଥିଲା । ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ତୁରନ୍ତ ଏକ ଟିମ୍‌ ଗଠନ କରି ରାତି ସାଢେ ୯ଟା ସମୟରେ ଉପହାର କପ୍ଲେକ୍ସର ଏକ ରୁମ୍‌ ଉପରେ ଚଢ଼ାଉ କରିଥିବା ବେଳେ ସେଠାରୁ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଲୁହା ହେମର୍‌, ଗୋଟିଏ ଚେନ୍‌, ଏକ ଲୁହା ପାଇପ୍‌, ଦୁଇଟି ଲୁହା ରଡ଼୍‌, ଦୁଇଟି ଟାଙ୍ଗି ସହ ନଗଦ ୫ ହଜାର ଟଙ୍କା ପୋଲିସ ଜବତ୍‌ କରିଥିବା ସୂଚନାରେ କୁହାଯାଇଛି । ତେବେ ଅଭିଯୁକ୍ତମାନେ ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିିଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଗେଟ୍‌ ସରୋବର୍‌ପଡ଼ାର ଅନୀଲ ସେଠ(୨୩), କଂସାରୀପଡ଼ାର ବବଲୁ ବେହେରା(୨୩), ରାମେଶ୍ୱରନଗରର ଶିବ ପଟେଲ(୨୩) ଓ ଅକାଶ ରାଓ(୨୧), ତାଲପାଲିପଡ଼ାର ସିଲୁ ପଧାନ(୨୩), ରାଜୀବନଗରର ଦିଲୁ ବନ୍‌ଛୋର୍‌(୨୨), ବିଭୂତିପଡ଼ାର ଆକାଶ ରାଉତ(୨୫), ପ୍ରତାପସାଗରପଡ଼ାର ସୁମନ୍ତ ବରାଡ଼(୨୨) ଏବଂ ଦୁଇଜଣ ନାବାଳକ । ତେବେ କେଉଁ ବ୍ୟବସାୟୀଙ୍କ ଘର ଉପରେ ଡକାୟତି କରିବାକୁ ଯୋଜନା କରୁଥିଲେ ଅଭିଯୁକ୍ତମାନେ, ସେ ଉପରେ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.