ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ : ଗ୍ରାମବାସୀଙ୍କ ସହାୟତାରେ ୩ ଡକାୟତଙ୍କୁ ଧରିଲା ଲୋଇସିଂହା ପୋଲିସ

ଲୋଇସିଂହା, (କେପିଏନ୍‌ଏସ୍‌) : ଜଙ୍ଗଲ ରାସ୍ତାରେ ପୋଲିସ ଡକାୟତଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ । ଫିଲ୍ମ ଷ୍ଟାଇଲରେ ବନ୍ଧୁକକୁ ଖାତିର ନକରି ଡକାୟତଙ୍କର ସାମ୍ନା କରୁଛି ପୋଲିସ । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାରା ଦେଇ ହାତରେ ଢେଲା ଧରି ଛିଡ଼ା ହୋଇଛନ୍ତି । ଡ଼କାୟତ ବନ୍ଧୁକ ଧରି ଫୁଟାଇ ଦେବାକୁ କହୁଥିଲେ ମଧ୍ୟ ଭୟ ନାହିଁ ପୋଲିସ ଅଧିକାରୀ ମାନଙ୍କର । ଡକାୟତ ମାନଙ୍କୁ ଭଲରେ ସରେଣ୍ଡର କରିବା ପାଇଁ କହୁଛି ପୋଲିସ । ହେଲେ ସେମାନେ ନାରାଜ । ବାରମ୍ବାର ଗୁଳି ଫୁଟେଇ ଦେବାକୁ ଦେଉଛନ୍ତି ଧମକ୍‌ । ଏଭଳି ଏକ ଘଟଣା ବଲାଙ୍ଗିର ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଦେଖିବାକୁ ମିଳିଛି ।

ଡକାୟତି କରି ଫେରାର୍‌ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ପୋଲିସ କୁଟାସିଂହା ଗ୍ରାମବାସୀ ତଥା ସ୍ଥାନୀୟ ଯୁବକଙ୍କ ସହାୟତାରେ ୩ ଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛି । ତଦନ୍ତ ବ୍ୟାହତ ହେବା ଆଶଙ୍କାରେ ଲୋଇସିଂହା ପୋଲିସ କୌଣସି ସୂଚନା ଦେବାକୁ ମନା କରିଛି ।

ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମର ଜନରଞ୍ଜନ ନାୟକ ଝାରମୁଣ୍ଡା ଠାରେ ଏକ କିଓସ୍କ ସେଣ୍ଟର ଖୋଲିଛନ୍ତି । ଶନିବାର ସକାଳ ୯ ଟାରେ ସେ ନିଜ ଭାଇ ଜ୍ୟୋତିରଞ୍ଜନଙ୍କ ସହିତ ଝାରମୁଣ୍ଡାକୁ ବାଇକରେ ଯାଉଥିଲେ । ରାସ୍ତାରେ ଆମପାଲି ଛକରେ କିଛି ଦୁର୍ବୁର୍ତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିବା ସହିତ ପିସ୍ତଲ ଦେଖାଇ ଲେପଟପ, ମୋବାଇଲ ଓ ବ୍ୟାଗରେ ଥିବା ୩୫ ହଜାର ଟଙ୍କା ତଥା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡାଇ ନେଇ ଲୋଇସିଂହା ପଟକୁ ଫେରାର ହୋଇ ଯାଇଥିଲେ । ଏ ନେଇ ଜନରଞ୍ଜନ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏ ନେଇ ଲୋଇସିଂହା ଥାନା ସମେତ ବିଭିନ୍ନ ଥାନାକୁ ଖବର ଦେଇ ନାକାବନ୍ଦୀ କରିଥିଲେ । ଡକାୟତ ମାନେ ସାଲେଭଟା-କୁଟାସିଂହା ରାସ୍ତାରେ ଥିବା ରେଲୱେ ଲେଭେଲ କ୍ରସିଂ ଠାରେ ପହଂଚିବା ପରେ ଗେଟ୍‌ ବନ୍ଦ ଥିବାରୁ ସେଠାକାର ଜଗୁଆଳି ମୁଣ୍ଡରେ ପିସ୍ତଲ ରଖି ଗେଟ ଖୋଲିବାକୁ କହିଥିଲେ । ଜଗୁଆଳି ଜଣକ ଭୟରେ ଗେଟ ଖୋଲିଦେବାରୁ ଡକାୟତ ମାନେ କୁଟାସିଂହା ଗ୍ରାମ ପଟକୁ ଫେରାର ମାରିଥିଲେ । ସେମାନଙ୍କୁ ପିଛା କରୁଥିବା ଲୋଇସିଂହା ପୋଲିସ ସମେତ ସହିତ ସ୍ଥାନୀୟ ଗ୍ରାମବାସୀ କୁଟାସିଂହା ନିକଟରେ ମୁହାଁମୁହିଁ ହୋଇଥିଲେ । ସେଠାରେ ଡକାୟତ ଦଳ ପିସ୍ତଲ ଦେଖାଇ ପୋଲିସକୁ ଭୟଭୀତ କରିବା ସହିତ ଫେରାର ହେବାକୁ ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ବାସିନ୍ଦାଙ୍କ ଢେଲାମାଡ଼ ଓ ଚାରିପଟୁ ପୋଲିସ ଘେରିଯିବା ଦେଖି ଡକାୟତ ମାନେ ଆତ୍ମସମର୍ପଣ କରିଥିଲେ । ପୋଲିସ-ଡକାୟତ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ମଧ୍ୟରେ କିଛି ପୋଲିସ କର୍ମଚାରୀଙ୍କ ସହିତ ଡକାୟତ ମାନେ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ଡକାୟତ ଦଳରେ ୫ ସଦସ୍ୟ ଥିବା କୁହାଯାଉଥିବା ବେଳେ ଅଭିଯୁକ୍ତ ମାନେ ୪ ଜଣ ଥିବା ସୂଚନା ଦେଇଛନ୍ତି । ଗିରଫ ଡକାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଂଚଳର ହୋଇଥିବା ବେଳେ ଆଉ ଦୁଇଜଣ ସୋନପୁର ଜିଲା ଡୁଙ୍ଗୁରିପାଲି ଅଂଚଳର ବୋଲି ଜଣାଯାଇଛି । ସେମାନଙ୍କ ସାଙ୍ଗରେ ଥିବା ଝାରଖଣ୍ଡ ଅଂଚଳର ଆଉ ଜଣେ ଡକାୟତ ଫେରାର ଥିବା ଖବର ମିଳିଛି । ଲୋଇସିଂହା ଡାକ୍ତରଖାନାରେ ପୋଲିସ ଡକାୟତଙ୍କ ମେଡିକାଲ ଚେକ୍‌ଅଫ୍‌ କରିବା ସହିତ ଅଧିକ ପଚରା ଉଚୁରା ଜାରି ରଖିଥିବା ଜଣାଯାଇଛି । ତେବେ ଏ ନେଇ କୌଣସି ଅଧିକ ସୂଚନା ଦେବାକୁ ଲୋଇସିଂହା ଥାନା ଆଇଆଇସି ଲଳିତା ଲାକ୍ରା ମନା କରି ଦେଇଛନ୍ତି ।

Leave A Reply

Your email address will not be published.