
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡାକ ସପ୍ତାହର ଶେଷ ଦିବସରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଡାକ-ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରୋହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି, ଡାକ-ଜନସମ୍ପର୍କ ଅଧିକାରୀ ଗଣେଶ ଗୌଡ଼, ବ୍ରହ୍ମପୁର ଅସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ରାମଚନ୍ଦ୍ର ଦାସ, ପ୍ରମୁଖଙ୍କ ସହଯୋଗରେ ପୂର୍ବାହ୍ନରେ କଷ୍ଟମର ମିଟ୍ ଓ ଅପରାହ୍ନରେ ବରିଷ୍ଠ ନାଗରିକ ଓ ପେନ୍ସନ୍ ଭୋଗୀଙ୍କ ଅଧିବେଶନ ଅନୁଷ୍ଠିତ ହେବା ସହ ଚଳିତ ବର୍ଷର ଡାକ ସପ୍ତାହ ଦିବସର ଉଦ୍ଯାପନ ଯଥା ବିଧିରେ ସମାହିତ ହୋଇଛି । ସୂଚନା ଥାଉକି, ଭାରତବର୍ଷର ସ୍ୱାଧୀନତା ଲାଭର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହୋଇଆସୁଅଛି । ଏ ନେଇ ଭାରତୀୟ ଡାକବିଭାଗ ତରଫରୁ ଏ ବର୍ଷର ଅନ୍ତର୍ଜାତୀୟ ଡାକ ଦିବସକୁ ଖୁବ ଜାକ୍ଯମକ୍ରେ ପାଳନ କରାଯାଇଛି । ସବୁ ଡାକଘରଗୁଡିକୁ ସଫାସୁତୁରା କରି ଡାକ-ବକ୍ସକୁ ରଙ୍ଗୀନ କରାଯାଇଛି । ଡାକ ସପ୍ତାହ ସକାଶେ ମୁଖ୍ୟ ଡାକଘରକୁ ପାର୍ବଣର ତିଥି ଭଳି ରଙ୍ଗୀନ ଆଲୋକରେ ସଜା ଯାଇଥିଲା । ସପ୍ତାହବ୍ୟାପୀ ବ୍ୟାଙ୍କିଙ୍ଗ୍ ଦିବସ, ଡାକ-ଜୀବନ ବୀମା ଦିବସ, ଡାକ ଟିକଟ ଦିବସ ଇତ୍ୟାଦି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଆସିଛି । ବ୍ରହ୍ମପୁର ଡାକ ମଣ୍ଡଳ କେନ୍ଦ୍ର ସରକାରଙ୍କ ଛୁଟି ଦିନରେ ମଧ୍ୟ ବିଜିନେସ ଡେଭଲପ୍ମେଣ୍ଟ ଡେ-ଅବସରରେ ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଆୟୋଜିତ କରିଥିଲା ତିନୋଟି ସମାନ୍ତରାଳ ଆଧାର କ୍ୟାମ୍ପ । ବଡ଼ମାଧପୁର ଗ୍ରାମ ପଞ୍ଚାୟତରେ ଏହି ଭ୍ରାମ୍ୟମାଣ ଆଧାର ଶିବିରକୁ ସ୍ଥାନୀୟ ସରପଞ୍ଚ ଶରତ ଖୁଣ୍ଟିଆ ଶୁଭାରମ୍ଭ କରିଥିବା ବେଳେ ପାଣ୍ଡିଆ ଓ କୋଦଳାଠାରେ ବ୍ରହ୍ମପୁର ନର୍ଥ ସବଡିଭିଜନର ସହକାରୀ ଡାକ ଅଧିକ୍ଷକ ଚକ୍ରଧର ନାୟକ ଶୁଭାରମ୍ଭ କରିଥିଲେ । ଏହି ଆଧାର ଶିବିରଗୁଡିକରେ ବିପୁଳ ସଂଖ୍ୟାରେ ନୁଆ ଆଧାର ପଞ୍ଜିକରଣ, ସଂଶୋଧନ ତଥା ମୋବଇଲ ନମ୍ବର ଆଧାର ନମ୍ବର ସହ ସଂଯୋଗ କରାଯାଇଥିଲା । ସେହିଭଳି ଡାକ ସପ୍ତାହର ଶେଷଦିନରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରାହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି, ଡାକ-ଜନସମ୍ପର୍କ ଅଧିକାରୀ ଗଣେଶ ଗୌଡ଼, ବ୍ରହ୍ମପୁର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ରାମଚନ୍ଦ୍ର ଦାସ ପ୍ରମୁଖଙ୍କ ସହଯୋଗରେ ପୂର୍ବାହ୍ନରେ କଷ୍ଟମର ମିଟ୍ ଓ ଅପରାହ୍ନରେ ବରିଷ୍ଠ ନାଗରିକ ଓ ପେନ୍ସନ୍ ଭୋଗୀଙ୍କ ଅଧିବେଶନ ଅନୁଷ୍ଠିତ ହେବା ସହ ଚଳିତ ବର୍ଷର ଡାକ ସପ୍ତାହ ଦିବସର ଉଦଯାପନ କରାଯାଇଛି ।
